“ମନଇଚ୍ଛା ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା ଖାଆନ୍ତୁ ନାହିଁ”
ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ କୌଣସି ଭ୍ୟାକସିନ୍ ଏପର୍ଯ୍ୟନ୍ତ ବାହାରିନି ନାହିଁ । ତେବେ ଆଣ୍ଟି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନ କରୋନା ଭାଇରସ୍ର ଗେମ୍ ଚେଞ୍ଜରଭାବେ ଉଭା ହୋଇଛି । ଏହି ମେଡିସିନ୍କୁ ଭାରତଠାରୁ ଆମେରିକା ମାଗିବା ପରେ ଏବେ ଏହାର ଡିମାଣ୍ଡ ବଢ଼ିଯାଇଛି । ତେଣୁ ଏହି ମେଡିସିନ୍କୁ ମନଇଚ୍ଛା ଖାଆନ୍ତୁ ନାହିଁ, ଏହା ଘାତକ ସାବ୍ୟସ୍ତ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ହାଇଡ୍ରୋକ୍ସି କ୍ଲୋରୋକୁଇନ କେବଳ ରୋଗୀ ଓ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର ଏବଂ ନର୍ସଙ୍କୁ ଉପଯୁକ୍ତ ପରାମର୍ଶ କ୍ରମେ ଖାଇବାକୁ ଦିଆଯାଉଛି । ଏହାକୁ ସାଧାରଣ ଲୋକ ଖାଇଲେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବ । ଏହି ଔଷଧ ହୃଦରୋଗ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ତେଣୁ, ମନ ଇଛା ଏହି ଔଷଧକୁ କେହି ଖାଆନ୍ତୁ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି।
ସେହିପରି ଦେଶରେ କରୋନା ମୁକାବିଲାକୁ ଆହୁରି ଦୃଢ଼ ଓ ତ୍ୱରାନ୍ଵିତ କରିବା ପାଇଁ ଗୋଟିଏ ମନ୍ତ୍ରୀ ଗୋଷ୍ଠୀ ସହ ୧୦ଟି ଉଚ୍ଚ କ୍ଷମତା ସଂପନ୍ନ କମିଟି କେନ୍ଦ୍ର ସରକାର ଗଠନ କରିଛନ୍ତି । ଏଥିସହ ୧.୭ କୋଟି ପିପିଇ ଓ ୪୯ ହଜାର ଭେଣ୍ଟିଲେଟର ପାଇଁ କେନ୍ଦ୍ର ସରକାର ଅର୍ଡର ଦେଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୩୪କୁ ବୃଦ୍ଧି ପାଇଛି । ୪୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୪ ଘଣ୍ଟାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ କହିଛନ୍ତି ।