ପ୍ରଥମ #କୋଭିଡ୍-୧୯ ମୃତକଙ୍କ ହେଲା ଅନ୍ତିମ ସଂସ୍କାର
ଭୁବନେଶ୍ଵର(ଓଟି): ରାଜ୍ୟରେ ପ୍ରଥମ ୭୦ ବର୍ଷୀୟ କରୋନା ରୋଗୀଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଭୟ ବଢ଼ି ଯାଇଛି। ମୃତ ବ୍ୟକ୍ତିଙ୍କ ଘର ଝାରପଡ଼ା ଅଞ୍ଚଳରେ ହୋଇଥିବାବେଳେ ସେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଏହି ପରିପ୍ରେକ୍ଷୀରେ ବୁଧବାର ରାତିରେ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ମୃତକଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଏମସ୍ରେ ଥିବା ମୃତଦେହକୁ ରାତି ୨ଟାରେ ବିଏମ୍ସି ମହାପ୍ରୟାଣ ଗାଡ଼ି ଯୋଗେ ସତ୍ୟନଗର କବରସ୍ଥାନକୁ ଅଣାଯାଇଥିଲା। ସମ୍ପୂର୍ଣ୍ଣ କଭର୍ ବ୍ୟାଗ୍ ଯୋଗେ ମୃତଦେହକୁ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁସାରେ ମୃତଦେହ ପହଞ୍ଚିବାବେଳକୁ ପୂର୍ବରୁ ଗାତ ଖୋଳା ଯାଇଥିଲା। ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଏକ ଟିମ୍ ଉପସ୍ଥିତ ରହିଥିଲେ। ବିଏମ୍ସିର ୩ଜଣ କର୍ମଚାରୀ ପିପିଇ (ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୟୁପମେଣ୍ଟ) ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧିଥିଲେ। ବୁଟ୍, ଆପ୍ରନ୍, ଲଙ୍ଗ ସ୍ଲିଭଡ୍ ଗାଉନ୍, ପତଳା ଗ୍ଲୋଭସ୍, ମାସ୍କ, ଗଗଲସ୍ ଓ ଫେଶ୍ ସିଲ୍ଡ ଆଦି ପିନ୍ଧି ଆମ୍ବୁଲାନ୍ସରୁ ମୃତଦେହ ବାହାର କରି କବର ଦେଇଥିଲେ।ଗାଇଡଲାଇନ୍ ଅନୁସାରେ କୌଣସି ସମ୍ପର୍କୀୟଙ୍କୁ ମୃତଦେହ ସ୍ପର୍ଶ କରିବାକୁ ଦିଆଯାଇନଥିଲା। ତେବେ ମୃତକଙ୍କ ୩ଜଣ ସମ୍ପର୍କୀୟଙ୍କ ସମେତ ଜଣେ ମୌଲବୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିବା ସୂଚନା ମିଳିଛି।
ଏଠାରେ ପ୍ରକାଶ ଯୋଗ୍ୟ ଯେ କରୋନା ସଂକ୍ରମିତ ହୋଇ କେହି ମୃତହେଲେ ଅନ୍ତିମ ସଂସ୍କାର ସରକାରଙ୍କ ପକ୍ଷରୁ କରାଯିବ ବୋଲି ପୂର୍ବରୁ ଘୋଷଣା ହୋଇସାରିଛି।