#IndiaFightsWithCorona: ‘ଗରିବଙ୍କୁ ସାହାଯ୍ୟ କରନ୍ତୁ’
ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ୍ ମୁକାବିଲା ପାଇଁ ଭାରତ ଲଢ଼େଇ ଜାରି ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଦେଶ ଓ ଦେଶବାସୀଙ୍କ ସୁରକ୍ଷା ପାଇଁ ସବୁପ୍ରକାର ଉଦ୍ୟମ କରାଯାଉଛି। ବହୁ ଉନ୍ନତ ଦେଶ ତୁଳନାରେ ଭାରତର କରୋନା ମୁକାବିଲା ଲଢ଼େଇ ଉତ୍ତମ ରହିଛି ଏବଂ ଏନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଶଂସା ମଧ୍ୟ କରାଯାଇଛି। ଅନ୍ୟପକ୍ଷରେ ଦେଶର ବିପର୍ଯ୍ୟୟ ସମୟରେ ସେବା ଯୋଗାଉଥିବା ଯୋଦ୍ଧାମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରୋତ୍ସାହନ ଓ ପ୍ରେରଣା ଦେଇଆସୁଛନ୍ତି। ଏହିକ୍ରମରେ ମୋଦୀ ଦେଶବାସୀଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି। ତାଙ୍କ ସମର୍ଥନରେ ୫ ମିନିଟ୍ ଠିଆ ହେବା ବଦଳରେ ଗରିବ ପରିବାରକୁ ସାହାଯ୍ୟ କରିବାକୁ ସେ ନିବେଦନ ଜଣାଇଛନ୍ତି। ଏହା ତାଙ୍କ ପାଇଁ ବଡ଼ ସମ୍ମାନ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ ଜରିଆରେ ପ୍ରକାଶ କରିଛନ୍ତି। ଏଥିସହ କିଛି ଲୋକ ତାଙ୍କ ନାଁରେ ବିବାଦ ସୃଷ୍ଟି କରୁଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ନିଜର ପ୍ରଥମ ଟୁଇଟ୍ରେ କହିଛନ୍ତି ଯେ, କେତେକ ଲୋକ ୫ ମିନିଟ୍ ଛିଡ଼ା ହୋଇ ମୋଦୀଙ୍କୁ ସମ୍ମାନିତ କରାଯାଉ ବୋଲି ଯାହା ପ୍ରଚାର କରୁଛନ୍ତି ତାହା ବିବାଦରେ ଫସାଇବାକୁ ଏକ ଚାଲବାଜି। ସେହିପରି ପ୍ରଧାନମନ୍ତ୍ରୀ ଦ୍ଵିତୀୟ ଟୁଇଟରେ କହିଛନ୍ତି ଯେ, ହୁଏତ ତାହା କୌଣସି ଲୋକଙ୍କ ସଦିଚ୍ଛା ହୋଇପାରେ କିନ୍ତୁ ବାସ୍ତବରେ କରୋନା ଭାଇରସ୍ ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଏକ ଗରିବ ପରିବାରର ଦାୟିତ୍ଵ ଆପଣମାନେ ନେଲେ ତାଠାରୁ ମୋ ପାଇଁ ବଡ଼ ସମ୍ମାନ ଆଉକିଛି ହୋଇନପାରେ ବୋଲି ମୋଦୀ ସ୍ପଷ୍ଟ କରିଛନ୍ତି।