ଆଳିରେ ୧୧ ରାଜସ୍ୱ ଗ୍ରାମ ସମେତ ୨ଟି ବଜାର ସିଲ
କେନ୍ଦ୍ରାପଡ଼ା,(ଓଟି): ସୋମବାର ରାତିରେ ଆଳି ବ୍ଲକ ଅଂଚଳର ବାସିନ୍ଦା ଯୁବକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଳି ବ୍ଲକର ୨ଟି ପଂଚାୟତର ୧୧ଟି ରାଜସ୍ୱ ଗ୍ରାମ ସମେତ ୨ଟି ବଜାରକୁ ମଙ୍ଗଳ ବାର ସିଲ କରିଦିଆଯାଇଛି । ଏଥିସହ କରୋନା ସଂକ୍ରମମିତ ହୋଇଥିବା ଯୁବକଙ୍କ ଗ୍ରାମ ସମେତ ଆଖପାଖ ଅଂଚଳକୁ ବିଶୋଧନ କରାଯିବାକୁ ଚେଷ୍ଟ କରାଯାଉଛି । ଏହି ଅଂଚଳରେ ଥିବା ଦୋକାନ ବଜାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ଆଳି ବ୍ଲକର ୧୧ଟି ରାଜସ୍ୱ ଗ୍ରାମ ସମେତ ୨ଟି ପଡ଼ାଗ୍ରାମ ଓ ଆଳିର ୨ଟି ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳ ନିଆଳହାଟ ଓ ନୂଆବଜାର ଅଂଚଳକୁ ୪୮ ଘଂଟା ପାଇଁ ସଟ ଡାଉନ ଘୋଷଣା କରାଯାଇଛି ।
ନିଆଳ ପଂଚାୟତର ବଳଭଦ୍ରପୁର, ରାଧାନଗର, ଶାସନ, ଗୋପୀନାଥପୁର, ଗୋପାଳରାୟପୁର, ଛୋଟନାଥପୁର, ନିଆଳ, ଗୌଡ଼ପାଟଣା, ଶିଳାସ୍ତମ୍ବ ଓ ମେଣ୍ଢପୁର ପଂଚାୟତର ଗୋପ, କଂଟିପୁର, ତୁଳସୀ, ଗ୍ରାମକୁ ସିଲ କରାଯାଇ କେହି ଘରୁ ନବାହାରିବାକୁ କୁହାଯାଇଛି । ଏହି ଗ୍ରାମଗୁଡ଼ିକର ଯାତାୟତ ପଥ ବନ୍ଦ କରାଯାଇ ଯାତାୟତକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏଥିସହିତ ସଂକ୍ରମିତଙ୍କ ଗ୍ରାମକୁ ସାନିଟାଇଜ କରାଯାଇଛି । ସଟ ଡାଉନ ଘୋଷିତ ସମସ୍ତ ଗ୍ରାମରେ ଡାକ୍ତରୀ ଟିମ ମୁତୟନ ହୋଇଛି ।
ଆକ୍ରାନ୍ତଙ୍କ ଗାଁର ୩ କିଲୋମିଟର ପରିଧି ମଧ୍ୟରେ ଥିବା ସମସ୍ତ ଗାଁ ଗୁଡ଼ିକ କଟକଣା ମଧ୍ୟରେ ରଖାଯାଇଛି। ସିଲ କରାଯାଇଥିବା ଗାଁର ଲୋକମାନଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଏହି ଅଂଚଳରେ ଥିବା ତେଜରାତି ଓ ପନିପରିବା ଦୋକାନଗୁଡ଼ିକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ଦୋକାନ ମାଲିକଙ୍କର ଟେଲିଫୋନ ନମ୍ବର ନିଆଯାଇ ସିଲ ହୋଇଥିବା ଗାଁର ଲୋକଙ୍କୁ ଜଣାଇ ଦିଆଯାଇଛି । ଆବଶ୍ୟକ ସାମଗ୍ରୀ ପାଇଁ ଏହି ଟେଲିଫୋନ ନମ୍ବରରେ ଲୋକେ ଟେଲିଫୋନ କଲେ ପ୍ରଶାସନ ପକ୍ଷରୁ ସାମଗ୍ରୀ ଯୋଗାଇ ଦେବାକୁ ପ୍ରଶାସନ ବ୍ୟବସ୍ଥା କରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।