#corona: ମୃତଦେହ ବି ମିଳିବନି
ଭୁବନେଶ୍ଵର, (ଓଟି): କରୋନା ରୋଗୀଙ୍କ ମୃତ ଦେହ ବି ପରିବାରଲୋକଙ୍କୁ ସଂସ୍କାର ପାଇଁ ମିଳିବ ନାହିଁ। ଡାକ୍ତରଖାନା କର୍ତ୍ତୃପକ୍ଷ ତାହାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ। ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୋଭିଡ୍-୧୯ ନିୟମ ଅନୁସାରେ ତାହାର ସତ୍କାର ହେବ ବୋଲି ରାଜ୍ୟ କୋଭିଡ୍ ମୁଖପାତ୍ର ସୁବ୍ରତୋ ବାଗ୍ଚୀ କହିଛନ୍ତି।
ଏଥିରୁ ଜନସାଧାରଣ ସଚେତନହେବା ଉଚିତ ଯେ ଏହା କେତେ ଭୟଙ୍କର ମହାମାରୀ। ଏଥିରୁ ବଞ୍ଚିବା ଲାଗି ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ କରିବା ଉଚିତ।
ସୋମବାରଦିନ ରାଜ୍ୟର ପ୍ରଥମ କରୋନାଜନିତ ମୃତ୍ୟୁ ଘଟିଛି। ଏହି ସୂଚନାକୁ ଆଜି ରାଜ୍ୟ ସ୍ଵାସ୍ଥ୍ୟବିଭାଗ ପ୍ରକାଶ କରିଛନ୍ତି। ସେ ୭୨ ବର୍ଷୀୟ ଜଣେ ବ୍ୟକ୍ତି, ଯାହାଙ୍କ ଘର ଝାରପଡ଼ା ଅଞ୍ଚଳରେ। ଦୁଇଦିନ ତଳେ ତାଙ୍କର ଶରୀର ଅସୁସ୍ଥ ହେବାରୁ ଏମ୍ସ ଭର୍ତ୍ତି କରାଯାଇଥିଲା। ଏମ୍ସ ପକ୍ଷରୁ ରୋଗୀର ଲକ୍ଷଣ ଦେଖି ତାଙ୍କୁ ସ୍ଵତନ୍ତ୍ର ୱାର୍ଡ଼ରେ ରଖି ଚିକିତ୍ସା କରାଯାଉଥିଲା।
ଗତକାଲି ତାଙ୍କର ସାମ୍ପଲ୍ ପରୀକ୍ଷଣ ପାଇଁ ପଠାଯାଇଥିଲା କିନ୍ତୁ ତାଙ୍କର ରାତିରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ ଦେହକୁ କୋଭିଡ୍-୧୯ ନିୟମ ଅନୁସାରେ ଡାକ୍ତରଖାନା କର୍ତ୍ତୃପକ୍ଷ ନିଜ ହେପାଜତରେ ରଖିଛନ୍ତି। ସମସ୍ତ ସର୍ତ୍ତ ପୂରଣ ହେବା ପରେ ତାଙ୍କ ମୃତ ଦେହକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ। ଏହା ପରେ ତାହାକୁ ରାଜ୍ୟ ସରକାର ସଂସ୍କାର କରିବେ।
ଆଜି ଅପରାହ୍ଣରେ ଦୁଇଜଣଙ୍କୁ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଏହାଫଳରେ ସମସ୍ତ ସଂଖ୍ୟଶ ୪୨ରେ ପହଞ୍ଚିଛି।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଏଯାଏ ୨୨୧୨ଟି ସାମ୍ପଲ୍ ପରୀକ୍ଷଣ କରାଯାଇଛି। ୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କ ମୃତ୍ୟୁ ହୋଇଛି। ଏବେ ୩୯ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସାଧୀନ ରହିଛନ୍ତି। ୮୬ଜଣଙ୍କୁ ମେଡିକାଲ୍ ଆସୋଲୋସନ୍ରେ ରଖାଯାଇଛି।