#ଲକ୍ଡାଉନ୍ ଅବଧି ପରେ ବି ରହିବ ପ୍ରତିବନ୍ଧକ
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କ ପାଇଁ ଦେଶ ରହିଛି ୨୧ ଦିନିଅ ଲକ୍ଡାଉନ୍ରେ। ଫଳରେ ଅଧିକାଂଶ ସେବା ଆଉ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। କେବଳ ଜରୁରୀ ସେବାକୁ ଯୋଗାଇ ଦେଉଛନ୍ତି ସରକାର ଏବଂ ସ୍ଥାନୀୟ ପ୍ରଶାସନ। ଇତିମଧ୍ୟରେ ଲକ୍ଡାଉନ୍କୁ ୧୩ ଦିନ ହୋଇଗଲାଣି। ସେହିପରି ଅନେକ ରାଜ୍ୟ ସରକାର ଲଗାଇଛନ୍ତି ସତନ୍ତ୍ର କଟକଣା। ସଂକ୍ରମଣ ରୋକିବା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନିଆଯିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ସରକାର ସମୂହ। ଏହାରି ମଧ୍ୟରେ ଦେଶରେ ୪ ହଜାରରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ହୋଇଗଲାଣି। ଏସବୁ ଦୃଷ୍ଟିରୁ ଆସନ୍ତା ୧୪ରେ ଲକ୍ଡାଉନ୍ ଅବଧି ସରିଗଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଲାଗୁ ରହିଥିବା ପ୍ରତିବନ୍ଧକ ହଠାତ୍ ହଟିବନି ବୋଲି ବିଚାର କରାଯାଉଛି। ଏପରିକି ଏପ୍ରିଲ ୧୫ରେ ସରକାର ଲକ୍ଡାଉନ୍କୁ ପର୍ଯ୍ୟାୟ କ୍ରମେ ଖୋଲିବାକୁ ବିଚାର କରୁଛନ୍ତି। ଏଥସହ କରୋନା ସଂକ୍ରମଣ ରୋକିବା ପାଇଁ ମେ ୧୫ ପରେ ଦ୍ଵିତୀୟ ଥର ଲକ୍ଡାଉନ୍ ଘୋଷଣା କରାଯାଇପାରେ ବୋଲି ଖବର ମିଳିଛି।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଗତ ୩ରେ ହୋଇଥିବା ମନ୍ତ୍ରୀ ସମୂହ (GOM) ବୈଠକରେ ଏହା ଉପରେ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତା ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ କରୋନା ସଂକ୍ରମଣ ରୋକିବା ପାଇଁ ଯୋଜନା ସମ୍ପର୍କିତ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ରିପୋର୍ଟ ଅନୁସାରେ ମହାମାରୀର ମୁକାବିଲା ଲାଗି ପ୍ରାୟ ୪୦ ପ୍ରତିଶତ କ୍ରିଟିକାଲ କେୟାର ଇକ୍ୟୁପମେଣ୍ଟର ଆବଶ୍ୟକ ରହିଛି କିନ୍ତୁ ଏନେଇ ଚିନ୍ତା କରିବାର ନାହିଁ। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପୂର୍ବଭଳି ଉପଲବ୍ଧ ରହିବ। କିନ୍ତୁ ସାମାଜିକ ଦୂରତ୍ଵ ପାଳନ ନିୟମ ଯେ କୌଣସି ପରିସ୍ଥିତିରେ ମଧ୍ୟ ଜାରି ରହିବ। ସେହିପରି ଯଦି ଲକ୍ଡାଉନ୍ ହଟାଯାଏ, ତେବେ ସିନେମା ହଲ୍, ଫୁଡ କୋର୍ଟ, ରେସ୍ତୋରାଁ ଓ ଧାର୍ମିକ ସ୍ଥଳକୁ କିନ୍ତୁ ବନ୍ଦ ରଖାଯାଇପାରେ। ମଲ୍ ଗୁଡ଼ିକରେ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ। ସେହିପରି କୌଣସି ସ୍ଥାନରେ ଭିଡ଼ ନଜମାଇବା ଓ ସାନିଟାଇଜେସନ୍ ପ୍ରତି ବିଶେଷ ଗୁରୁତ୍ଵ ଦିଆଯାଇଛି ଯାହାକି ଲକ୍ଡାଉନ୍ ହଟିଲେ ମଧ୍ୟ ସେଥିରେ କୌଣସି ପ୍ରକାର ବୁଝାମଣା କରାଯିବନି। ଅର୍ଥାତ୍ କଟକଣା ନିୟମ ପୂର୍ବଭଳି ରହିବ ବୋଲି ସୂଚନା ମିଳିଛି।