#କରୋନା ଆତଙ୍କ: ଅନ୍ୟପ୍ରାଣୀଙ୍କୁ ବ୍ୟାପିଲା, ଚିନ୍ତା ବଢ଼ିଲା
ଭୁବନେଶ୍ଵର (ଓଟି): ମହାମାରୀ କରୋନା ସମ୍ପ୍ରତି ମଣିଷ ବ୍ୟତୀତ ଅନ୍ୟ ପ୍ରାଣୀକୁ ବ୍ୟାପିଥିବା ଖବର ମିଳିଛି। ଫଳରେ ବିଶ୍ଵ ବ୍ୟାପି ଆଉଏକ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ନନ୍ଦନକାନନରେ ହାଇ ଆଲର୍ଟ ଜାରି କରାଯାଇଛି। ପ୍ରତିଟି ପଶୁପକ୍ଷୀଙ୍କ ଉପରେ କଡ଼ା ନଜର ରଖାଯାଉଛି ଏବଂ ସିସିଟିଭିରେ ନିରବଚ୍ଛିନ୍ନ ଭାବେ ମନିଟରିଂ କରାଯାଉଛି।
ସୂଚନା ଅନୁସାରେ ନ୍ୟୁୟର୍କ ବ୍ରୋନିକ୍ସ ’ଜୁ’ ରେ ଏକ ମାଈବାଘକୁ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଫଳରେ ଭାରତୀୟ ଜୁ ଅଥରିଟି ଦେଶରେ ଥିବା ସମସ୍ତ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଆଲର୍ଟ ଜାରି କରିଛନ୍ତି। ପଶୁପକ୍ଷୀଙ୍କଠାରେ କୗଣସି ଅସ୍ୱାଭାବିକ ଲକ୍ଷଣ ଦେଖାଗଲେ ତୁରନ୍ତ ପଦକ୍ଷେପ ନେବାକୁ ଆଦେଶ ଦିଆଯାଇଛି। ନନ୍ଦନକାନନର ସିନିୟର ଭେଟନାରୀ ଅଫିସର ଆଲୋକ କୁମାର ଦାସଙ୍କ ସୂଚନା ଅନୁସାରେ କୌଣସି ସଂକ୍ରମାକ ରୋଗର ଏହା ଏକ ସ୍ଵତନ୍ତ୍ର ଲକ୍ଷଣ। ପୂର୍ବରୁ ଅନ୍ୟପ୍ରାଣୀଙ୍କଠାରୁ ମଣିଷକୁ ରୋଗ ସଂକ୍ରମଣ ହେଉଥିଲା କିନ୍ତୁ ସମ୍ପ୍ରତି ନୂଆ ମାମଲା ସାମ୍ନାକୁ ଆସିଛି। ବ୍ରୋନିକ୍ସ ଚିଡ଼ିଆଖାନାରେ କରୋନା ଆକ୍ରାନ୍ତଙ୍କଠାରୁ ବାଘ ସଂକ୍ରମିତ ହୋଇଥିବା ଜଣାପଡ଼ିଥିବାବେଳେ ନନ୍ଦନକାନନରେ ସାନିଟାଇଜେସନ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି। ସେହିପରି ପ୍ରାଣୀମାନଙ୍କୁ ଖାଦ୍ୟ ଦେଉଥିବା କର୍ମଚାରୀଙ୍କୁ ଭଲଭାବେ ଧୋଇବା ସହ ଗ୍ଳୋଭସ୍ ଓ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।