ଶ୍ଵାସ ଓ ଇନ୍ଫ୍ଲୁଏଞ୍ଜା ରୋଗୀଙ୍କ ତଥ୍ୟ ଦେବେ ଘରୋଇ ହସ୍ପିଟାଲ୍
ଭୁବନେଶ୍ଵର, (ଓଟି): ରାଜ୍ୟରେ ବଢ଼ୁଥିବା କରୋନା ସମସ୍ୟାକୁ ପ୍ରଶମିତ କରିବା ପାଇଁ ସରକାର ସମ୍ବେଦନଶୀଳ ଲୋକଙ୍କ ବାବଦରେ ତଥ୍ୟ ସଂଗ୍ରହ ଆରମ୍ଭ କରିବାକୁ ଯାଉଛନ୍ତି। ଏହିକ୍ରମରେ ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲ୍କୁ ଶ୍ଵାସ ବା ଇନ୍ଫ୍ଲୁଏଞ୍ଜା ରୋଗୀଙ୍କ ବାବଦରେ ତଥ୍ୟ ଦେବାକୁ ସରକାର ଆଦେଶ ଦେଇଛନ୍ତି। ଯେଉଁ ବ୍ୟକ୍ତି ଏହି ରୋଗରେ ପୀଡ଼ିତ ହୋଇ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଆସିଥିବେ ସେମାନଙ୍କ ବାବଦରେ ତଥ୍ୟ ସରକାର ଗ୍ରହଣ କରିବେ। ଯେଉଁ ଡାକ୍ତରଖାନା ଏହାକୁ ଅମାନ୍ୟ କରିବେ ସେମାନଙ୍କ ବିରୋଧରେ କ୍ଲିନିକାଲ୍ ଏଷ୍ଟାବ୍ଲିଶ୍ମେଣ୍ଟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ସେମାନଙ୍କ ଅନୁଷ୍ଠାନକୁ ସିଲ୍ କରାଯାଇପାରେ। ଆଇନ ଅନୁଯାୟୀ ଏହି ନିୟମ ସରକାରଙ୍କୁ କ୍ଷମତା ପ୍ରଦାନ କରିଥିବା ନେଇ କୋଭହିଡ୍ ୧୯ ମୁଖପାତ୍ର ସୁବ୍ରତୋ ବାଗ୍ଚୀ ସୂଚନା ଦେଇଛନ୍ତି।
କୋଭିଡ୍ ୧୯ ବା କରୋନା ଭୁତାଣୁ ଜନିତ ରୋଗ ମୁଖ୍ୟତଃ ରୋଗୀର ଫୁସ୍ଫୁସ୍କୁ ଆକ୍ରାନ୍ତ କରିଥାଏ। ଶ୍ଵାସ ବା ଇନ୍ଫ୍ଲୁଏଞ୍ଜା ରୋଗୀ ଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ଯଦି ଏମାନେ ଭୁତାଣୁ ଆକ୍ରମଣର ଶିକାର ହେବେ ତେବେ ତାଙ୍କ ପାଇଁ ଏହା ବିପଜ୍ଜନକ ହେବା ଆଶଙ୍କା ରହିଛି। ଏହାକୁ ଆଖିରେ ରଖି ସରକାର ରାଜ୍ୟର ଏହିଭଳି ରୋଗୀଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି । ଆବଶ୍ୟକ ସମୟରେ ଜରୁରୀ କାର୍ଯ୍ୟାନୁଷ୍ଠାନ ପାଇଁ ଏହା ସହାୟକ ହେବ ବୋଲି ଆଶା କରାଯାଇଛି।