ନିଜାମୁଦ୍ଦିନ ପ୍ରସଙ୍ଗ: ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଲେ ୫-ଟି ସଚିବ
ଭୁବନେଶ୍ୱର (ଓଟି): ଦିଲ୍ଲୀ-ନିଜାମୁଦ୍ଦିନ୍ରେ ଆୟୋଜିତ ସମାବେଶ ତବଲିଗୀ ଜମାତ୍ରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍। ସମ୍ପୃକ୍ତ ଦିଲ୍ଲୀ ଫେରନ୍ତାଙ୍କୁ ଜିଲ୍ଲାପାଳ ଓ ପୁଲିସ୍ ନିଜ ସମ୍ବଳ ବିନିଯୋଗ କରି ଚିହ୍ନଟ କରନ୍ତୁ ବୋଲି ଚିଠିରେ ଦର୍ଶାଯାଇଛି।
ଏଥିସହ ସଚିବ ଶ୍ରୀ ପାଣ୍ଡିଆନ୍ ଜିଲ୍ଲା ପ୍ରଶାସନକୁ ଜଣାଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତି ସାମ୍ନାକୁ ଆସିଲେ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ। ସେମାନଙ୍କ ମନରେ ସାହସ ସୃଷ୍ଟି କରିବା ସହ ତଥ୍ୟ ଜଣାଇବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସମ୍ପୂର୍ଣ୍ଣ ବ୍ୟକ୍ତି ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରାଯିବା ସହ ସ୍ୱାସ୍ଥ୍ୟସେବା ମଧ୍ୟ ଯୋଗାଇ ଦିଆଯିବ। କିନ୍ତୁ ତଥ୍ୟ ଜଣାଇବାରେ ବିଳମ୍ବ କଲେ ଏହା ସମସ୍ତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ବୋଲି ୫-ଟି ସଚିବ ଚିଠିରେ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜାମୁଦ୍ଦିନ ଫେରନ୍ତା ସ୍ଵତଃ ସାମ୍ନାକୁ ଆସିବା ପାଇଁ ନିବେଦନ କରିସାରିଛନ୍ତି।











