#ସଟ୍ଡାଉନ୍ରୁ ମିଳିବ ଅନେକ ଫାଇଦା
ଭୁବନେଶ୍ଵର(ଓଟି): ମହାମାରୀ କରୋନା ଆତଙ୍କରେ ସାରା ବିଶ୍ଵରେ ତ୍ରାହି ତ୍ରାହି ଡାକ ପଡ଼ିଛି। ଏଯାଏଁ ଠିକଣା ଭାବେ ବାହାରିନି କରୋନା ପାଇଁ ଔଷଧ। କେବଳ ସତର୍କତା, ସଚେତନତା ସହ ସୁରକ୍ଷା ପଦ୍ଧତି ଅବଲମ୍ବନ ହିଁ ଏଥିରୁ ଦୂରେଇ ରହିବାର ବାଟ। ସେହିପରି ସଂକ୍ରମଣ ଆଶଙ୍କା ନେଇ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ମଧ୍ୟ ଉକ୍ତ ଘାତକ ଭୂତାଣୁକୁ ବ୍ୟାପିବାକୁ ଦେବ ନାହିଁ। ଏହି ପରିପ୍ରେକ୍ଷୀରେ #ଲକ୍ଡାଉନ୍ ଓ #ସଟ୍ଡାଉନ୍ କଟକଣା ସାଧାରଣ ଜନତାଙ୍କ ପାଇଁ କିଛିଟା କଷ୍ଟକର ମନେହେଉଥିଲେ ମଧ୍ୟ ଏହାର ଯଥେଷ୍ଟ ସୁଫଳ ମିଳିବ ବୋଲି ଆଶା କରାଯାଉଛି। କାରଣ ବିଶେଷଜ୍ଞଙ୍କ ମତରେ #ସାମାଜିକ ଦୂରତ୍ଵ ସହ #କ୍ଵାରେଣ୍ଟାଇନ୍ ଯୋଗୁଁ କରୋନା ମୁକାବିଲା କ୍ଷେତ୍ରରେ ଅନେକ ସକାରାତ୍ମକ ଫଳ ମିଳିପାରିବ।
କଣ ମିଳିବ ସୁଫଳ?
କରୋନା ମୁକାବିଲା ପାଇଁ ଆଜି ରାତି ୮ଟାଠାରୁ ଦ୍ଵୈତନଗରୀ ଭୁବନେଶ୍ଵର-କଟକ ସମେତ ଭଦ୍ରକକୁ ୪୮ ଘଣ୍ଟା ପାଇଁ ସରକାର ସଟ୍ଡାଉନ୍ ଘୋଷଣା କରିଛନ୍ତି। ତେବେ ଏହା ଫଳରେ ସମାଜ ପାଇଁ ଅନେକ ସୁଫଳ ମିଳିପାରିବ ବୋଲି ଏସ୍ସିବି ଭେଷଜ ବିଭାଗ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି। ଡାକ୍ତର ଶ୍ରୀ ପଣ୍ଡାଙ୍କ ମତରେ ଅନ୍ୟ ଭୂତାଣୁଙ୍କଠାରୁ କରୋନା ଭୂତାଣୁ ସାମାନ୍ୟ ସ୍ଵତନ୍ତ୍ର। ଏହାର ସଂକ୍ରମଣ ଅବଧି ଓ ବ୍ୟାପିବାର କ୍ଷମତା ଦୃଷ୍ଟିରୁ ଅନ୍ୟ ଭୂତାଣୁଠାରୁ ତୁଳନାତ୍ମକ ଭାବେ କିଛିଟା ଭିନ୍ନ ବୋଲି କୁହାଯାଉଛି। କରୋନା ଭୂତାଣୁ ବାହ୍ୟ ସ୍ତରରେ ୪୮ରୁ ୭୨ ଘଣ୍ଟା ମଧ୍ୟରେ ମରିଯାନ୍ତି। ସାଧାରଣତଃ ନାକ, ପାଟି ଓ ଲାଳ ଦ୍ୱାରା ଏହି ଭୂତାଣୁ ବ୍ୟାପିଥାଏ। ତେଣୁ ବାହ୍ୟ ପରିବେଶ ସଂସ୍ପର୍ଶରେ ଦୂରତା ବଜାୟ ରହିଲେ ଭୂତାଣୁ ବ୍ୟାପିବାର ଆଶଙ୍କା ବହୁମାତ୍ରାରେ କମିଯିବ। ଖାଲି ସେତିକି ନୁହେଁ ପୋଷାକ, ବହି, ଚଷମା ଆଦି ବାହ୍ୟ ସାମଗ୍ରୀରେ କରୋନା ଭୂତାଣୁ ରହିଥିଲେ ତାହା ୪୮ରୁ ୭୨ ଘଣ୍ଟାରେ ମରିଯିବ। ତେଣୁ ସମ୍ପୂର୍ଣ୍ଣ ସଟ୍ଡାଉନ୍ କରାଯିବା ଦ୍ଵାରା କରୋନା ଭୂତାଣୁ ବ୍ୟାପିବେନି ବରଂ ମରିଯିବେ ବୋଲି ଡାକ୍ତର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।