#ସଟ୍‌ଡାଉନ୍‌: ରାଜଧାନୀ ପାର୍ଶ୍ଵ ଅଞ୍ଚଳରେ ମଧ୍ୟ କଟକଣା

ଭୁବନେଶ୍ୱର(ଓଟି): ମହାମାରୀ କରୋନା ପାଇଁ ରାଜଧାନୀ ଭୁବନେଶ୍ଵର ସମେତ କଟକ ଓ ଭଦ୍ରକକୁ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ଘୋଣୋ କରାଯାଇଛି। ତେବେ କେବଳ ଭୁବନେଶ୍ଵର ସହର ନୁହେଁ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ମଧ୍ୟ କଟକଣା ଭିତରେ ରହିଛି। ସେସବୁ ଅଞ୍ଚଳର ଲୋକେ ଏଥିପ୍ରତି ସଜାଗ ରହିବାକୁ ଅନୁରୋଧ କରାଯାଇଛି ଏବଂ ନିୟମ ମାନିବାକୁ ନିର୍ଦ୍ଦେଶ ହୋଇଛି।

କେଉଁସବୁ ଅଞ୍ଚଳରେ କଟକଣା?

ରାଜଧାନୀରେ ୫ମ ଓ କଟକରେ ୬ଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟ ସରକାର ଆହୁରି ସଜାଗ ହୋଇପଡ଼ିଛନ୍ତି। ତେଣୁ ଭୁବନେଶ୍ୱର ମହାନଗର ସହ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସେସବୁ ଅଞ୍ଚଳ ହେଲା- ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ମଳିପଡ଼ା, ଅନ୍ଧାରୁଆ, ଯାଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟୀ ପ୍ରତାପଶାସନ, ବାଲିଅନ୍ତା, ଜଗନ୍ନାଥପୁର ଓ ଜଟଣୀ ପ୍ରଧାନସାହି ପ୍ରଭୃତି ଅଞ୍ଚଳ।

ସଟ୍‌ଡାଉନ୍‌ ନିୟମ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ। ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି କ୍ରମେ କଡ଼ା କଟକଣା ସମୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଗ୍ରୋସରୀ, ଫଳ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ବନ୍ଦ ମଧ୍ୟ ରହିବ। କେବଳ କେତେକ ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଖୋଲିବ। ସେହିପରି ଅତି ଜରୁରୀ ନଥିଲେ ହସ୍ପିଟାଲ ଯିବାକୁ ବାରଣ କରିଛନ୍ତି ପୁଲିସ ଡିଜି ଅଭୟ। ଅନ୍ୟପକ୍ଷରେ ସଟ୍‌ଡାଉନ୍‌କଟକଣାରୁ ମୁକ୍ତ ରହିବ ଅତ୍ୟାବଶ୍ୟକ ସେବା। ସୂଚନା ଅନୁସାରେ ହସ୍ପିଟାଲ, ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ, ଟେଲିକମ୍‌, କିଛି ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପ, ମାଲ ପରିବହନକାରୀ ରେଳ ଓ ବିମାନ, କରୋନା କଲ ସେଣ୍ଟର, ଜଳ ଯୋଗାଣ ପରିମଳ, ସ୍ୱେରେଜ, ବିଦ୍ୟୁତ, ନିର୍ଦ୍ଦିଷ୍ଟ ଔଷଧ ଦୋକାନ, ମାଲବାହୀ ଯାନ ଚାଲିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *