ଲକ୍‌ଡାଉନ୍‌: କେନ୍ଦ୍ରାପଡ଼ା କୁଷ୍ଠ ପଲ୍ଲୀରେ ଖାଦ୍ୟ ବାଂଟିଲେ ଶିକ୍ଷକ

କେନ୍ଦ୍ରାପଡା଼,(ଓଟି):କରୋନା ଆତଙ୍କ ଯୋଗୁ ସମଗ୍ର ଦେଶରେ ଲକ ଡାଉନ ହୋଇଥିବା ଯୋଗୁ କେନ୍ଦ୍ରାପଡ଼ା ସହର ନିକଟସ୍ଥ ପାଣ୍ଡିରି ଠାରେ ଥିବା କୁଷ୍ଠ ପଲ୍ଲୀର ଅନ୍ତେବାସୀଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି । କୁଷ୍ଠପଲ୍ଲୀର ଅନ୍ତେବାସୀମାନେ ପ୍ରତିଦିନ ଭିକ୍ଷା କଲେ ପେଟକୁ ଦାନା ଯାଏ । ପ୍ରତିଦିନ ସକାଳୁ କୁଷ୍ଠ ପଲ୍ଲୀରୁ ବାହାରେ ବହୁ ୩ଚକିଆ ଟ୍ରଇ ସାଇକେଲ । ସେଥିରେ ବିଭିନ୍ନ ମଠ ମନ୍ଦିର ସମ୍ମୁଖକୁ ଯାଆନ୍ତି କୁଷ୍ଠପଲ୍ଲୀର ଅନ୍ତେବାସୀମାନେ । ମଠ ମନ୍ଦିର ସମ୍ମୁଖରେ ବସି ସେମାନେ ଭିକ୍ଷା କରନ୍ତି ଓ ମଠ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଆଶିର୍ବାଦ କରନ୍ତି । କିନ୍ତୁ ଲକ ଡାଉନ ଯୋଗୁ ଗତ କିଛି ଦିନ ହେଲା ସେମାନେ ବାହାରି ପାରୁ ନାହାଁନ୍ତି କି ଭିକ୍ଷା କରିପାରୁ ନାହାଁନ୍ତି । ଗତ କିଛି ଦିନ ହେଲେ କୁଷ୍ଠପଲ୍ଲୀର ଅନ୍ତେବାସୀମାନେ ଅନାହାର ବା ଅର୍ଦ୍ଧାହାରରେ ଦିନ କାଟୁଛନ୍ତି । ଏମାନଙ୍କ ସମ୍ପର୍କରେ ଜାଣିବା ପରେ ଶୁଭାଂଶୁ କୁମାର ଦାସ ନାମକ ଜଣେ ଶିକ୍ଷକ ଗୁରୁବାର କୁଷ୍ଠପଲ୍ଲୀକୁ ଯାଇ ଅନ୍ତେବାସୀଙ୍କ ମଧ୍ୟରେ ଖାଦ୍ୟ ସାମଗ୍ରୀ ସମେତ ହାତ ଧୋଇବାକୁ ସାବୁନ ମଧ୍ୟ ବଂଟନ କରିଛନ୍ତି ।

ଗୁରୁବାର ଶୁଭାଂଶୁଙ୍କ ପୁଅ ସତ୍ୟଜିତର ଜନ୍ମଦିନ ଥିଲା । ପୁଅ ଜନ୍ମ ଦିନରେ ପ୍ରତି ବର୍ଷ ସେ ଭୋଜିର ଆୟୋଜନ କରି ସାହି ପଡ଼ିଶା ଓ ବନ୍ଧୁ ବାନ୍ଧବଙ୍କୁ ନମନ୍ତ୍ରଣ କରନ୍ତି । କିନ୍ତୁ ଏ ବର୍ଷ ଲକ ଡାଉନ ଯୋଗୁ ସେ ଭୋଜିର ଆୟୋଜନ କରିପାରି ନପାରି କୁଷ୍ଠ ପଲ୍ଲୀକୁ ଯାଇ କୁଷ୍ଠପଲ୍ଲୀର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ, ଅଟା, ଚାଉଳ ଓ ସାବୁନ ଆଦି ପ୍ରଦାନ କରିଛନ୍ତି । ଦିନକ ପାଇଁ ହେଉ ପଛେ ଶୁଭାଂଶୁ ସାରଙ୍କ ବଦାନ୍ୟତା କୁଷ୍ଠପଲ୍ଲୀର ନିରାଶ୍ରୟ ଅନ୍ତେବାସୀଙ୍କ ମଧ୍ୟରେ ଆସ୍ୱସ୍ଥତା ଆଣିଦେଇଛି । କୁଷ୍ଠପଲ୍ଲୀର ଅନ୍ତେବାସୀମାନେ ମଧ୍ୟ ଶୁଭାଂଶୁ ସାର ଓ ତାଙ୍କ ପୁଅକୁ ଆଶୀର୍ବାଦରେ ପୋତି ପକାଇଛନ୍ତି ।

Leave a Reply

Your email address will not be published.