ସିବିଏସ୍ଇର ଘୋଷଣା: ଅଷ୍ଟମ ଯାଏ ସବୁପିଲା ପାସ୍

ନୂଆଦିଲ୍ଲୀ (ଓଟି): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇଥିବାବେଳେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସର୍ତ୍ତମୂଳକ ପ୍ରମୋସନ ଆଦେଶ ଦିଆଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଏନେଇ ସବିଶେଷ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ସିବିଏସ୍‌ଇ କେବଳ ୨୯ଟି ମୂଳ ବିଷୟ ପାଇଁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆୟୋଜନ କରିବ। ଏହା ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଆଡମିସନ ପାଇଁ ଗୁରୁତ୍ୱପୂର୍ଣ୍ଣ। ବୋର୍ଡ ଅବଶିଷ୍ଟ ବିଷୟଗୁଡିକ ପାଇଁ ପରୀକ୍ଷା କରିବ ନାହିଁ। ସେମାନଙ୍କର ମାର୍କିଂ ଏବଂ ମୂଲ୍ୟାଙ୍କନ ପାଇଁ ଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ। ମହାମାରୀ କରୋନା ଭାଇରସ୍ ବ୍ୟାପିବାକୁ ଦୃଷ୍ଟିରେ ରଖି ଏଭଳି ଘୋଷଣା କରାଯାଇଛି ଏବଂ ପରୀକ୍ଷା ସ୍ଥଗିତ ରଖାଯାଇଛି।

କେନ୍ଦ୍ରମନ୍ତ୍ରୀ ଏନେଇ ଟ୍ୱିଟରେ କହିଛନ୍ତି ଯେ- କରୋନା ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ବୋର୍ଡକୁ ଆଦେଶ ଦିଆଯାଇଛି। ସେହିପରି ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକରେ ଏପର୍ଯ୍ୟନ୍ତ କରାଯାଇଥିବା ମୂଲ୍ୟାଙ୍କନ ଆଧାରରେ ନବମ ଏବଂ ଏକାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ପରବର୍ତ୍ତୀ ଗ୍ରେଡ୍‌କୁ ପଦୋନ୍ନତି ଦିଆଯିବ। ଏପରିକି ଏଭଳି ପ୍ରମୋସନ ପାଇନଥିବା ପିଲାମାନେ ବିଦ୍ୟାଳୟସ୍ତରରେ ଅନଲାଇନ୍ କିମ୍ବା ଅଫଲାଇନ୍ ପରୀକ୍ଷାରେ ସାମିଲ ହୋଇପାରିବେ ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବିଦେଶରେ ଅବସ୍ଥିତ ବିଦ୍ୟାଳୟଗୁଡ଼ିକରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯିବ ନାହିଁ ବୋଲି ବୋର୍ଡ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Leave a Reply

Your email address will not be published.