#କୋଭିଡ୍-୧୯: ରାଜ୍ୟ ସରକାରଙ୍କ ୨ ହସ୍ପିଟାଲ୍ ପ୍ରସ୍ତୁତ
ଭୁବନେଶ୍ଵର (ଓଟି): ଦ୍ଵୈତନଗରୀ ଭୁବନେଶ୍ଵର-କଟକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁବନ୍ଧିତ ଦୁଇଟି କୋଭିଡ୍ ହସ୍ପିଟାଲ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ମୋଟ ୬୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ଦୁଇଟି କରୋନା ସଂକ୍ରମିତଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ବର୍ତ୍ତମାନ ପ୍ରସ୍ତୁତ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ସହଯୋଗୀ ସ୍ଵାସ୍ଥ୍ୟସେବା ସଂସ୍ଥା କିମ୍ସ ଓ ଅଶ୍ଵିନୀ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଧନ୍ୟବଦା ଜ୍ଞାପନ କରିଛନ୍ତି। ଏଥିସହ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇ ବିଶେଷଜ୍ଞ-ଡାକ୍ତରମାନଙ୍କ ସହିତ ଏନେଇ ସବିଶେଷ ଆଲୋଚନା କରିଛନ୍ତି।
ସୂଚନା ଅନୁସାରେ କିମ୍ସ ଦ୍ଵାରା ପ୍ରସ୍ତୁତ କରାଯାଇଥିବା କୋଭିଡ୍-୧୯ ହସ୍ପିଟାଲ ୫୦୦ ଶଯ୍ୟା ବିଶିଷ୍ଟ ହୋଇଥିବାବେଳେ କଟକସ୍ଥିତ ଅଶ୍ଵିନୀ ହସ୍ପିଟାଲ୍ ପକ୍ଷରୁ ୧୫୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଉଭୟ ହସ୍ପିଟାଲ୍ ପାଇଁ ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଭୟ ହସ୍ପିଟାଲ୍ ପରିଚାଳକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଡାକ୍ତରମାନଙ୍କ ସହ ସେବା ଯୋଗାଇବା ସମ୍ପର୍କରେ ଆଲୋଚନା କରିଛନ୍ତି। ସାମାଜିକ ଦୂରତ୍ଵ, ସତର୍କତା ଓ ସଚେତନତା ଦ୍ଵାରା କରୋନାକୁ ମୁକାବିଲା କରି ଆମେ ବିଜୟ ଲାଭ କରିବା ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
୩ ଦିନ ଭିତରେ ସମ୍ ଯୋଗାଇବ ସେବା
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ସହବନ୍ଧିତ ସୂତ୍ରରେ ପ୍ରସ୍ତୁତ ସମସ୍ତ କୋଭିଡ୍ ହସ୍ପିଟାଲ୍ରେ କରୋନା ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରାଯିବ ବୋଲି ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଆଉଏକ #କୋଭିଡ୍-୧୯ ହସ୍ପିଟାଲ୍ ଆସନ୍ତା ୩ ଦିନ ମଧ୍ୟରେ ସେବା ଯୋଗାଇବ ବୋଲି ଜଣାପଡ଼ିଛି। ୫୦୦ ଶଯ୍ୟା ବିଶିଷ୍ଟ ଉକ୍ତ ହସ୍ପିଟାଲ୍ ଆଇଏମ୍ଏସ୍ ସମ୍ ଦ୍ଵାରା ପରିଚାଳିତ ହେଉଥିବାବେଳେ ସରକାରଙ୍କ ସହବନ୍ଧନରେ ଏମ୍ସିଏଲ୍ ସହାୟତା ଯୋଗାଉଛି।











