କୋଭିଡ୍୧୯: କେନ୍ଦ୍ରାପଡ଼ାରେ ୫୬୯ ବିଦେଶ ଫେରନ୍ତା , ଅନ୍ୟରାଜ୍ୟରୁ ୮୩୯୭
କେନ୍ଦ୍ରାପଡା଼,(ପ୍ରଦୀପ ଜେନା) : ବିଭିନ୍ନ ଦେଶରେ କରୋନା ସଂକ୍ରମଣ ହେବା ପରେ ବିଦେଶରେ ରହୁଥିବା ୫୬୯ ଜଣ ବ୍ୟକ୍ତି କେନ୍ଦ୍ରାପଡ଼ା ଜିଲ୍ଲାକୁ ଫେରି ଆସିଛନ୍ତି ଓ ରାଜ୍ୟ ବାହାରେ ଅନ୍ୟ ରାଜ୍ୟମାଙ୍କରେ ରହୁଥିବା ୮୩୯୭ ଜଣ ଲୋକ ଜିଲ୍ଲାକୁ ଫେରିଆସିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେମାନେ କୋଭିଡ୍୧୯ ତଥା କରୋନା ଭୁତାଣୁର ବାହକ ହୋଇପାରିବେ ବୋଲି ଆଶଙ୍କା କରାଯାଇଛି। ପୁଣି ଯଦି ତାହା ହୁଏ ତେବେ ସେମାନଙ୍କଠାରୁ ଅନ୍ୟମାନଙ୍କୁ ଏହି ଭୂତାଣୁ ସଂକ୍ରମଣ ହୋଇପାରେ। ଏଣୁ ସେମାନଙ୍କୁ ନିଜ ଘରେ ପୃଥକ ହୋଇ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଏମାନଙ୍କ ଉପରେ ନଜର ରଖାଯାଇଛି।
ଏଥିସହ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲାରେ ୧୧୦୬୯ ଶଯ୍ଜ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଥିବା ପ୍ରଶାସସନ ପକ୍ଷରୁ କୁହାଯାଇଛି । ଜିିଲ୍ଲାର ୨୪୯ଟି ଗ୍ରାମପଂଚାୟତରେ ଥିବା ସ୍କୁଲରେ ଓ ଅନ୍ୟନ୍ୟ ସରକାରୀ ଅନୁଷ୍ଠାନ ଗୃହରେ ୨୭୦ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିବା ବେଳେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ସହରରେ ୨୧୦ ଶଜ୍ୟା ବିଶିଷ୍ଟ ୯ଟି ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ସେହିପରି କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୩୦୦ ଶଜ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ସେହିପରି କେନ୍ଦ୍ରାପଡ଼ା ଆଦର୍ଶ ବିଦ୍ୟାଳୟରେ ୧୫୦, ଡେରାବିଶ ଛତା ଠାରେ ଥିବା ପଲିଟେକନିକ କଲେଜରେ ୨୬୦, ପଟାମୁଣ୍ଡାଇ ଓବିସି ଛାତ୍ରାବାସରେ ୧୫୦ ଶଜ୍ୟ ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ହୋଇଛି । ଜିଲ୍ଳାର ୧୦ଟି ଆବାସୀକ ବିଦ୍ୟାଳୟର ୧୨୭୭ ଛାତ୍ରଛାତ୍ରୀଙ୍କୁ ୩ ମାସର ଆଗୁଆ ଛାତ୍ରବୃତି ବାବଦକୁ ୨କୋଟି ୯ ଲକ୍ଷ ୩୭ ହଜାର ୩୦୦ ଟଙ୍କା ପ୍ରଦାନ କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରକୁ ପଠାଇଦିଆଯାଇଛି । ଜିଲ୍ଲାର ୧ ଲକ୍ଷ ୬୧ ହଜାର ୭ ଜଣ ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତା ବାବଦକୁ ୩୩କୋଟି ୮୪ ଲକ୍ଷ ୭ ହଜାର ଟଙ୍କା ପ୍ରଦାନ କରାଯିବା ସହ ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୨ଲକ୍ଷ ୩୫ ହଜାର ୫୩୦ ଜଣଙ୍କୁ ଆଗୁଆ ୩ମାସର ରାସନ ପ୍ରଦାନ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଲକଡାଉନ ଭାଙ୍ଗିଥିବା ୬୭ ଜରଙ୍କ ବିରୋଧରେ ପୁଲିସ ପକ୍ଷରୁ ୩୭ଟି ମାମଲା ରୁଜ୍ଜୁ କରାଯାଇଥିବା ବେଳେ ୩୨ଟି ୨ ଚକିଆ ଓ ୫ଟି ୪ ଚକିଆ ଯାନ ଜବତ କରାଯାଇଥିବା ବେଳେ ୧୨ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ପ୍ରଶାସସନ ପକ୍ଷରୁ କୁହାଯାଇଛି ।