#କୋଭିଡ୍-୧୯: ବଢ଼ିଲା ଦିଲ୍ଲୀ ଟେନସନ୍, ମକରଜ୍ ମୁଖ୍ୟଙ୍କ ନାଁରେ ମାମଲା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ସଂକ୍ରମଣ ଯୋଗୁ ଦେଶ ଲକଡାଉନ୍‌। ଏଭଳି ସ୍ଥିତିରେ ଦିଲ୍ଲୀ ନିଜାମୁଦ୍ଦିନ ମସଜିଦ୍ ପକ୍ଷରୁ ଆୟୋଜିତ ହୋଇଥିଲା ଧାର୍ମିକ ସମାବେଶ। ଯାହା ସମ୍ପ୍ରତି ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ସମ୍ମିଳନୀରେ ଯୋଗ ଦେଇଥିବା ଅଧିକାଂଶ ଲୋକେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି  କରାଯାଇଥିବାବେଳେ ରିପୋର୍ଟକୁ ନେଇ ସ୍ତବ୍ଧ କରିଦେବା ଭଳି ରିପୋର୍ଟ ଆସିଛି। କାର୍ଯ୍ୟାନୁଷ୍ଠାନ ସ୍ଵରୂପ ମକରଜ୍‌ ମୁଖ୍ୟଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ କ୍ରାଇମ୍‌ବ୍ରାଞ୍ଚ ତନାଘନା ଆରମ୍ଭ କରିଛି।

ସୂଚନା ଅନୁସାରେ ପଶ୍ଚିମ ନିଜାମୁଦ୍ଦିନକୁ ପୁଲିସ୍‌ କର୍ଡନ କରି ରଖିଥିବା ବେଳେ ମକରଜ ମୁଖ୍ୟ ମୌଲାନା ସାଦଙ୍କ ବିରୋଧରେ ସ୍ୱାସ୍ଥ୍ୟମନ୍ତ୍ରାଳୟ ମାମଲା ରୁଜୁ କରିଛନ୍ତି। ମାମଲାର ତଦନ୍ତ ଭାର ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମକୁ ଦେଶ ଓ ବିଦେଶରୁ ଅନେକ ଲୋକେ ଆସିଥିଲେ। ଏଣୁ ସମ୍ପୂର୍ଣ୍ଣ ଅଞ୍ଚଳ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। କରୋନା ଜନିତ ସଂକଟ ବେଳେ ଜାତୀୟ ରାଜଧାନୀରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଲାଗି ମକରଜ ମୁଖ୍ୟ ମୌଲାନା ସାଦଙ୍କ ବିରୋଧରେ ଇପିଡେମିକ୍ ଡିଜିଜ୍ ଆକ୍ଟ ୧୮୯୭ର ଧାରା ୨୬୯, ୨୭୦, ୨୭୧ଏବଂ ଆଇପିସିର ଧାରା ୧୨୦-ବି ଧାରାରେ ମାମଲା ରୁଜୁ ହୋଇଛି। ତେବେ ଉପୁଜିଥିବା ପରିସ୍ଥିତିରେ କାହାର ଦୋଷ ତ୍ରୁଟି ଖୋଜିବାର ଏହା ବେଳ ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ।

ଅନ୍ୟପକ୍ଷରେ ଧାର୍ମିକ କାର୍ଯ୍ୟକ୍ରମକୁ ଆସିଥିବା ୭ଶହରୁ ଅଧିକ ଲୋକେ କ୍ୱାରେଣ୍ଟାଇନରେ ଥିବା ବେଳେ ୩୩୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସରକାର ଦେଶରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକେ ଠୁଳ ହେବା ନିଷିଦ୍ଧ କରିବା ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମାଲେସିଆ, ଇଣ୍ଡୋନେସିଆ ଓ ସାଉଦି ଆରବରୁ ବି ଲୋକେ ଯୋଗଦେଇଥିବା ସୂଚନା ମିଳିଛି।

ସେ ଯାହାବି ହେଉ ଦେଶ ଲାଗି ନୂଆ ସମସ୍ୟାସୃଷ୍ଟି ହୋଇଯାଇଛି ବୋଲି ସାଧାରଣ ଜନତାଙ୍କ ଚିନ୍ତା ବଢ଼ି ଯାଇଛି।

Leave a Reply

Your email address will not be published. Required fields are marked *