#କୋଭିଡ୍-୧୯: ଆତଙ୍କ ଯେଉଁଠି, ଆଶ୍ଵସ୍ତି ସେଇଠି!
ନୂଆଦିଲ୍ଲୀ(ଓଟି): ଯେଉଁଠି ସୃଷ୍ଟି ହେଲା ଆତଙ୍କ, ସେଇଠି ରହିଛି କି ଆଶ୍ଵସ୍ତ? ସମ୍ପ୍ରତି ସାରା ବିଶ୍ଵବାସୀଙ୍କ ପାଇଁ ଏଭଳି ଏକ ପ୍ରଶ୍ନ ସୃଷ୍ଟି ହୋଇଛି। କାରଣ ଚୀନ୍ ଦାବି କରିଛି ଯେ ମହାମାରୀ କରୋନା ପାଇଁ ସେ ପ୍ରତିକାର ତଥା ଉପାୟ ପାଇସାରିଛି। ଚୀନ୍ର ଉହାନ୍ରୁ ସୃଷ୍ଟି ହୋଇଥିବା ମାରାତ୍ମକ ଭାଇରସ୍ କୋଭିଡ୍-୧୯ ତଥା କରୋନା ପାଇଁ ବିଶ୍ଵରେ ହାହା କାର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେହି ଚୀନ୍ର ବୈଜ୍ଞାନିକମାନେ କରୋନା ପ୍ରତିକାର ସୃଷ୍ଟି କରିଥିବା ଦାବି କରିବା କେତେଦୂର ସତ୍ୟ ସେ ନେଇ ବିଶ୍ଵ ସମୁଦାୟରେ ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନା ଅନୁସାରେ କରୋନା ଭାଇରସର ମୁକାବିଲା ପାଇଁ କୌଣସି ଭାକସିନ୍ କିମ୍ବା ପ୍ରତିଷେଧକ ବିଧିବଦ୍ଧ ଭାବେ ବାହାରିନାହିଁ। ବିଶ୍ଵର ଅନେକ ଦେଶର ବିଶେଷଜ୍ଞମାନେ ଏନେଇ ଗବେଷଣା ଜାରି ରଖିଛନ୍ତି। ଏପଟେ କରୋନା କାରଣରୁ ମୃତ୍ୟୁସଂଖ୍ୟା ୩୩ ହଜାର ଟପିଛି ଏବଂ ୬ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଏଭଳି ସ୍ଥିତିରେ ଚୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସର ଏକ ରିପୋର୍ଟ ଚର୍ଚ୍ଚାକୁ ଆସିଛି। ରିପୋର୍ଟ ଅନୁସାରେ, ଚୀନ ବୈଜ୍ଞାନିକମାନେ କରୋନାର ମୁକାବିଲା ପାଇଁ ଏକ ଉପାୟ ପ୍ରସ୍ତୁତ କରିଛନ୍ତି। ତେବେ ଏହା କୌଣସି ଡ୍ରଗ୍ସ କିମ୍ବା ଭାକସିନ୍ ନୁହେଁ। କିଛି କ୍ଷୁଦ୍ର ପଦାର୍ଥରୁ କରୋନା ସହ ଲଢ଼ିବା ପାଇଁ ଉପାୟ ମିଳିଛି। ଏକ ନାନୋ ମ୍ୟାଟେରିଆଲ୍ ଠାବ କରାଯାଇଛି ଯାହାକି କରୋନାକୁ ନାଶ କରିଦେବ। ଗତ ରବିବାର ଏହି ନ୍ୟୁଜ୍ ପୋର୍ଟାଲ ନିଜର ଟ୍ୱିଟର ଆକାଉଣ୍ଟରେ ଏନେଇ ପୋଷ୍ଟ କରିଥିଲା। ଉକ୍ତ ନାନୋ ମ୍ୟାଟେରିଆଲ ଭାଇରସର ପ୍ରଭାବକୁ ୯୬ରୁ ୯୯.୯ ପ୍ରତିଶତ କମ୍ କରିପାରୁଛି ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।
ଏହି ଖବର ସତ ହୋଇଥିଲେ ନିଶ୍ଚିତ ଭାବେ ସାରା ବିଶ୍ୱ ପାଇଁ ଏକ ଆଶ୍ୱସ୍ତି ଆଣିଦେବ ବୋଲି ଆଲୋଚନା ହେଉଛି।