#କୋଭିଡ୍-୧୯: ଶ୍ରମିକଙ୍କ ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ଵର (ଓଟି): ମହାମାରୀ କରୋନା ଭାଇରସ ନବ୍ୟାପିବା ପାଇଁ ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଜାରି ରହିଛି। ଫଳରେ ଶ୍ରମିକ ଓ ଦିନ ମଜୁରିଆଙ୍କ ସମସ୍ୟା ବଢ଼ି ଯାଇଛି। ରୋଜଗାରର ପନ୍ଥା ବନ୍ଦ ହୋଇ ଯାଇଥିବାରୁ ପରିବାର ଚଳିବା କଷ୍ଟକର ହୋଇଛି। ଏହାକୁ ହୃଦଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେବାକୁ ଉଦ୍ୟମ କରିଛନ୍ତି ଓ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଶ୍ରମିକଙ୍କ ସମସ୍ୟାକୁ ବିଚାର କରି ଆର୍ଥିକ ପ୍ରୋତ୍ସାହନ ପାଇଁ ନବୀନ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ଯେ ଓଡ଼ିଶା ସରକାର ଜନତାଙ୍କ ସୁରକ୍ଷା ପାଇଁ ଅନେକ ମହତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ତେବେ ଲକ୍ଡାନଉ୍ ଫଳରେ ସମାଜର ତଳବର୍ଗର ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ମନରେଗା ଶ୍ରମିକ ଖୁବ୍ ପ୍ରଭାବିତ ହୋଇଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ସେମାନଙ୍କୁ ରୋଜଗାର ଦେବା ସ୍ଥିତିରେ ନାହାନ୍ତି। ତେଣୁ ମନରେଗା ଶ୍ରମିକଙ୍କ ପାଇଁ ଆର୍ଥିକ ସହାୟତା ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚିଠିରେ ଅନୁରୋଧ ଜଣାଇଛନ୍ତି।