#ଲକଡାଉନରେ ହୋଇଗଲେ ହିଟ୍
ମୁମ୍ବାଇ (ଓଟି): ମହାମାରୀ #କୋଭିଡ୍-୧୯ ତଥା କରୋନା ପାଇଁ ଦେଶ ଲକ୍ଡାଉନ୍। ତେବେ ଏହାରି ମଧ୍ୟରେ ଅନେକ ଦେଶରେ ପହଞ୍ଚି ଯାଇଛନ୍ତି ଜଣେ ସୁନ୍ଦରୀ। ତାଙ୍କ ଭାଗ୍ୟର ତାଲା ଖୋଲିଯାଇଛି। ଅନେକ ଦେଶର ଲୋକେ ତାଙ୍କୁ ଖୁବ୍ ପସନ୍ଦ କରୁଛନ୍ତି। ଫଳରେ ଦୁଃଖ ସମୟରେ ବି ବେଶ୍ ଖୁସି ଅଛନ୍ତି ସେ। ଜାଣିଛନ୍ତି ସେ କିଏ?
ବହୁ ଲୋକଙ୍କ ପସନ୍ଦ ପାଲଟିଥିବା ସେହି ଭାଗ୍ୟବତୀ ହେଉଛନ୍ତି ସୁନ୍ଦରୀ ଗାୟିକା ନେହା କକ୍କର। ସୋସିଆଲ ମିଡିଆରେ ସକ୍ରିୟ ଥିବା ନେହା ତାଙ୍କ ପ୍ରଶଂସକଙ୍କ ମନରେ ବେଶ୍ ଘର କରିପାରିଛନ୍ତି।
ସୂଚନା ଅନୁସାରେ ଇନଷ୍ଟାଗ୍ରାମରେ ନେହାଙ୍କ ଅନୁସରଣକାରୀଙ୍କ ସଂଖ୍ୟା ତିନି କୋଟିରୁ ଅଧିକ। ତାଙ୍କୁ ୩୪.୯ ନିୟୁତ ଲୋକ ଅନୁସରଣ କରୁଛନ୍ତି। ବିଶ୍ୱର ଅନେକ ଲୋକ ତାଙ୍କୁ ପ୍ରଶଂସା କରୁଥିବାରୁ ସେ ବହୁତ ଖୁସି ବୋଲି ନେହା କହିଛନ୍ତି। ସୋନି ଟିଭିରେ ପ୍ରସାରିତ ହେଉଥିବା ଇଣ୍ଡିଆନ୍ ଆଇଡଲ୍ ଶୋ’ରେ ଆଦିତ୍ୟ ନାରାୟଣଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚାରେ ଥିବା ନେହା କହିଛନ୍ତି ଯେ ସମ୍ପ୍ରତି ସମଗ୍ର ବିଶ୍ୱ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ତାଙ୍କ ଗୀତ ଲୋକଙ୍କୁ କିଛିଟା ମନୋରଞ୍ଜନ କରିପାରିବା ଅତ୍ୟନ୍ତ ଖୁସିର କାରଣ ଓ ଏହା ତାଙ୍କୁ ପ୍ରେରଣା ଯୋଗାଇବ ବୋଲି ନେହା କହିଛନ୍ତି।
ହିଟ୍ କାହାଣୀକୁ ଅପେକ୍ଷା
ମିଲ୍ ହୋ ତୁମ୍ ହମ୍ କୋ… ଗୀତ ପାଇଁ ଅତୀତରେ ହଜାର ହଜାର ଲୋକଙ୍କ ମନ ଜିଣି ପାରିଥିବା ନେହା ଇତିମଧ୍ୟରେ ସାକି ସାକି, ଦିଲବର, ଆଁଖ ମାରେ ଭଳି ଅନେକ ହିଟ୍ ଗୀତ ଗାନ କରି ଚର୍ଚ୍ଚାରେ ରହିଛନ୍ତି। ସେ କିଛିଦିନ ତଳେ ଆଉଏକ କଥା କହି ନିଜ ପ୍ରଶଂସକଙ୍କ ଆଶା ବଢ଼ାଇ ଦେଇଥିଲେ। ନେହାଙ୍କ କହିବା ଅନୁସାରେ ଯଦି ହିଟ୍ ହେଲା ଭଳି କାହାଣୀ ମିଳିବ; ତେବେ ସେ ପରଦାକୁ ଆସିବେ। ଅର୍ଥାତ୍ ଫିଲ୍ମରେ ଅଭିନୟ କରିବେ ବୋଲି ନେହା ଆଶା ବାନ୍ଧିଥିବା ତାଙ୍କ କଥାରୁ ସ୍ପଷ୍ଟ ହୋଇସାରିଛି।