#Covid19: ଦେଶରେ ମୃତକଙ୍କ ସଂଖ୍ୟା ୨୭ ଛୁଇଁଲା

ନୂଆଦିଲ୍ଲୀ (ଓଟି): ତୁଳନାତ୍ମକ ଭାବେ ସାମାନ୍ୟ କମିଛି ଆତଙ୍କ। କିନ୍ତୁ ସୁଧୁରିନି ସ୍ଥିତି।  ଭାରତରେ ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ହଜାରେ ଟପିଯାଇଛି। ଶନିବାର ଦିନକରେ ୨୦୦ ଜଣଙ୍କ ପଜିଟିଭ ରିପୋର୍ଟ ବାହାରିଥିବାବେଳେ   ଆଜି ୬୦ରୁ ଅଧିକ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଆଜି ଦୁଇଜଣ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଦେଶରେ କରୋନା ଆକ୍ରାନ୍ତ ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି।

ସୂଚନା ଅନୁସାରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୦ ଟପିଛି। ଜମ୍ମୁ ଓ କଶ୍ମୀରରେ କରୋନା ଯୋଗୁଁ ଦ୍ବିତୀୟ ମୃତ୍ୟୁ ଘଟିଥିବା ବେଳେ ଗୁଜରାଟର ଅହମ୍ମଦାବାଦରେ ଜଣେ ୪୫ ବର୍ଷୀୟ କରୋନା ପୀଡ଼ିତ ଆଖି ବୁଜିଛନ୍ତି। ରାଜସ୍ଥାନର ଭିଲୱାଡ଼ାରେ ୨୫ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ତେଲେଙ୍ଗାନାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩ରେ ପହଞ୍ଚିଯାଇଛି। ସେହିପରି ମଧ୍ୟପ୍ରଦେଶର ଇନ୍ଦୋରରେ ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଉତ୍ତରପ୍ରଦେଶର ମିରଟରେ ଗୋଟିଏ ପରିବାରର ୫ ଜଣଙ୍କ ପଜିଟିଭ୍‌ ରିପୋର୍ଟ ଥିବା ଜଣାପଡ଼ିଛି। ରାଜଧାନୀ ଦିଲ୍ଲୀରେ ସ୍ପାଇସ୍ ଜେଟ୍‌ର ଜଣେ ପାଇଲଟ୍ କରୋନାରେ ଆକ୍ରାନ୍ତ ଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଇରାନରୁ ଆଜି ଫେରିଛନ୍ତି ୨୭୫ ଭାରତୀୟ। ସ୍ଵତନ୍ତ୍ର ବିମାନ ଯୋଗେ ସମସ୍ତଙ୍କୁ ଅଣାଯିବା ପରେ ରାଜସ୍ଥାନର ଯୋଧପୁରସ୍ଥିତ କ୍ଵାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଏହା ପୂର୍ବରୁ ୨୭୭ ଜଣ ଭାରତୀୟଙ୍କୁ ବିଦେଶରୁ ଅଣାଯାଇ ୧୪ ଦିନ ଆଇସୋଲେସନରେ ରଖାଯିବା ପରେ ଛାଡ଼ି ଦିଆଯାଇଥିଲା।

ଏଭଳି ସଂକଟ ସ୍ଥିତିରେ ଦେଶକୁ ୨୧ ଦିନ ଲାଗି ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେଣୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସମସ୍ତଙ୍କ ସୁରକ୍ଷା ଲାଗି ଏଭଳି ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଦେଶବାସୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମା ମାଗିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ସେ ଦେଶବାସୀଙ୍କୁ ସରି ବୋଲି କହିଛନ୍ତି।

Leave a Reply

Your email address will not be published.