ଅନୁଗୁଳ ଓ କେନ୍ଦ୍ରାପଡ଼ାରେ ସମ୍ ଖୋଲିବ #କୋଭିଡ୍-୧୯ ହସ୍ପିଟାଲ

ଅନୁଗୁଳ(ଓଟି): ଭୁବନେଶ୍ଵରସ୍ଥିତ ସମ୍‌ ପକ୍ଷରୁ ଉଭୟ ଅନୁଗୁଳ ଓ କେନ୍ଦ୍ରାପଡ଼ାରେ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯିବ। ଅନୁଗୁଳ ଜିଲ୍ଲାର ତାଳଚେର ଡେରା ସ୍ଥିତ ସେଣ୍ଟ୍ରାଲ୍‌ ହସ୍ପିଟାଲ କ୍ୟାମ୍ପସ୍‌ରେ ଏହି ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ୍‌ ଖୋଲିବ। ଏଠାରେ କେବଳ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯିବ ଓ ସନ୍ଦିଗ୍ଧଙ୍କୁ ଆଇସୋଲେସନ୍‌ରେ ରଖାଯିବ। ଏ ନେଇ ସମ୍‌ ହସ୍ପିଟାଲ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେଣ୍ଟ୍ରାଲ୍‌ ହସ୍ପିଟାଲ ପରିଦର୍ଶନ କରିସାରିଛନ୍ତି। ସେହିପରି କେନ୍ଦ୍ରାପଡ଼ା ପାଇଁ ମଧ୍ୟ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି।

ସମ୍‌ର ଡେପୁଟି ମେଡିକାଲ୍‌ ସୁପରିନ୍‌ଟେଣ୍ଡେଣ୍ଟ୍‌ ଡାକ୍ତର ରାଜେଶ ଲେଙ୍କା, ରେଡିଓଲୋଜି ବିଭାଗ ମୁଖ୍ୟ ଡାକ୍ତର ସତ୍ୟ ମହାପାତ୍ରଙ୍କ ସମେତ ‘ପ୍ରମେୟ’ ଭୁବନେଶ୍ୱର ବ୍ୟୁରୋ ଚିଫ୍‌ ଦେବେନ୍ଦ୍ର ସୁଆରଙ୍କୁ ନେଇ ଗଠିତ ୩ଜଣିଆ ଟିମ୍‌ ସେଣ୍ଟ୍ରାଲ୍‌ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରତାପ ବେହେରା, ଏଡିଏମ୍‌ଓ (ଜନସ୍ୱାସ୍ଥ୍ୟ) ଡାକ୍ତର ଦିଲୀପ ପଟ୍ଟନାୟକ, ସେଣ୍ଟ୍ରାଲ୍‌ ହସ୍ପିଟାଲର ଚିଫ୍‌ ମେଡିକାଲ୍‌ ସୁପରିନ୍‌ଟେଣ୍ଡେଣ୍ଟ ଡାକ୍ତର ବିଜୟ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସମ୍‌ର ସ୍ୱତନ୍ତ୍ର ଟିମ୍‌ ସର୍କିଟ ହାଉସ୍‌ରେ କୋଭିଡ୍‌-୧୯ ହସ୍‌ପିଟାଲ୍‌ ସମ୍ପର୍କରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ସିଡିଏମ୍‌ଓ ଡାକ୍ତର ବେହେରା, ଏଡିଏମ୍‌ଓ ଡା. ପଟ୍ଟନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ରଜନୀକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ କରୋନା ମୁକାବିଲା ପାଇଁ ଓଡ଼ିଶା ସରକାର ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ନିଷ୍ପତ୍ତି ନଇେଛନ୍ତି। ଏଥିପାଇ ସମ୍‌ ଓ କିମ୍ସ ସହ ଏମ୍‌ଓୟୁ ହୋଇଛି। ସମ୍‌ ହସ୍ପିଟାଲ ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌-୨ କନଭେନସନ୍‌ ସେଣ୍ଟରରେ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ଖୋଲିବ। ଏହା ବାଦ୍‌ ସମ୍‌ ଅନୁଗୁଳ ଓ କେନ୍ଦ୍ରାପଡ଼ାରେ ହସ୍‌ପିଟାଲ ପାଇଁ ଉଦ୍ୟମ ଚଳାଇଛି। ସେହିପରି ସରକାର ମଧ୍ୟ କଟକର ଟାଙ୍ଗୀସ୍ଥିତ ଡ୍ରିମ୍ସ କଲେଜରେ ୬୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍‌ ପାଇଁ ଉଦ୍ୟମ କରୁଛନ୍ତି।

Leave a Reply

Your email address will not be published. Required fields are marked *