ଲକ୍ଡାଉନ୍ ଖୋଲିଲା ସମ୍ପର୍କର ତାଲା
ମୁମ୍ବାଇ(ଓଟି): ସୃଷ୍ଟିହେଲା ପ୍ରେମ- କରିଥିଲେ ବିବାହ। ୧୩ବର୍ଷ ସାଥୀ ହୋଇ ରହିବା ଭିତରେ ହୋଇଗଲେ ଦୁଇ ସନ୍ତାନର ମାତା-ପିତା। କିନ୍ତୁ କଣ ହେଲା କେଜାଣି… ଆଉ ମନ ମିଶିଲାନି। ଦୁହେଁ ଅଲଗା ହୋଇଗଲେ। ହେଲେ ଏହାର ୭ବର୍ଷ ପରେ ସେମାନଙ୍କ ସମ୍ପର୍କର ତାଲା ଖୋଲିଛି। କରୋନା କାରଣରୁ ଦେଶ ଲକ୍ଡାଉନ୍ରେ ଥିବାବେଳେ ସେମାନଙ୍କ ପାଇଁ ସମ୍ପର୍କ ପୁଣି ସତେଜ ହୋଇଥିବା କୁହାଯାଉଛି। ହଁ, ଜାଣିପାରୁଛନ୍ତି କି ଆମେ କାହା ବିଷୟରେ କହୁଛୁ? ଲୋକପ୍ରିୟ ଅଭିନେତା ହ୍ରିତିକ ରୋଶନ ଆଉ ତାଙ୍କ ପତ୍ନୀ ସୁସାନେଙ୍କ କଥା ହିଁ କହୁଛୁ।
୨୦୧୩ରେ ଛାଡ଼ପତ୍ର ହୋଇଥିଲା ହ୍ରିତିକ୍ ଓ ସୁସାନେ ଖାନଙ୍କ। କିନ୍ତୁ ରହିଥିଲା ବନ୍ଧୁତା ବୋଲି ଚର୍ଚ୍ଚା ହେଉଥିଲା। ହେଲେ ମହାମାରୀ କରୋନା ବିପତ୍ତି କାଳରେ ସୁସାନେ ନିଜ ଶ୍ଵଶୁର ଘରେ ରହିବାକୁ ଆସିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ସେମାନଙ୍କ ପ୍ରଶଂସକ ଖୁବ୍ ଖୁସି ହୋଇଛନ୍ତି। ଗତ ବୁଧବାର ହ୍ରିତିକ ସୋସିଆଲ ମିଡିଆରେ ଏକ ସୁନ୍ଦର ପୋଷ୍ଟ ଲେଖିଥିଲେ। ଏହା ପରଠୁ ଜଣାପଡ଼ିଥିଲା ଯେ ସେ ଓ ସୁସାନେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ତବେ ଦୁଇ ପୁଅଙ୍କ ପାଇଁ ସୁସାନେ ତାଙ୍କ ଶ୍ଵଶୁରଘରକୁ ଆସିଛନ୍ତି। ଦେଶ ଲକଡାଉନରେ ଥିବାବେଳେ ସେ ତାଙ୍କ ପିଲାଙ୍କ ବିନା କିପରି ରହିବେ? ତେଣୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ସେ ଯାହାହେଉ, କରୋନା ମହାମାରୀ ଆଉ ଦେଶ ଲକ୍ଡାଉନ୍ ବେଳାରେ ଦୀର୍ଘ ୭ବର୍ଷର ବିଚ୍ଛେଦରେ ପୂର୍ଣ୍ଣଚ୍ଛେଦ ପଡ଼ି ଦୁହିଁଙ୍କ ସମ୍ପର୍କର ତାଲା ଖୋଲିଲା ବୋଲି ସେମାନଙ୍କ ପ୍ରଶଂସକମାନେ ଆଲୋଚନା କରୁଛନ୍ତି।