ଏଚ୍ଆଇଭି ମେଡିସିନ୍ରେ ଭଲହୋଇଗଲେ କରୋନା ରୋଗୀ
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କର ଘନ ଅନ୍ଧାର ଭିତରକୁ ଠେଲି ଦେଇଛି। ସାରା ବିଶ୍ଵବାସୀ ମୁଣ୍ଡରେ ହାତଦେଇଛନ୍ତି। ସବୁଠି ଭୟ ଭୟ ଆଉ ଭୟ। ଏହି ମାରାତ୍ମକ ଭୂତାଣୁ ପାଇଁ ବାହାରିନି ମେଡିସିନ। କେବଳ ସତର୍କତା ହିଁ ଦୂରେଇ ରହିବାର ବାଟ। ତେବେ ଏହାରି ମଧ୍ୟରେ କେତେକ ଡାକ୍ତର ଓ ବିଶେଷଜ୍ଞ ଆଶାର କିରଣ ସଞ୍ଚାର କରିପାରିଛନ୍ତି। କିଛିଦିନ ପୂର୍ବେ ରାଜସ୍ଥାନର ଜୟପୁର ସରକାରୀ ହସ୍ପିଟାଲର ଡାକ୍ତର ଟିମ୍ ଏଚ୍ଆଇଭି ଓ ଅନ୍ୟ ମେଡିସିନ୍ ପ୍ରୟୋଗ କରି କରୋନା ଆକ୍ରାନ୍ତ ୩ ଜଣଙ୍କୁ ଭଲ କରିଦେଇଥିଲେ। ସେହିପରି କେରଳରେ ନୂଆ ଆଲୋକ ଦେଖାଦେଇଛି। ଚିକିତ୍ସିତ ହେଉଥିବା ଜଣେ କରୋନା ସଂକ୍ରମିତ ଏଚଆଇଭି ଭାକସିନରେ ସୁସ୍ଥ ହୋଇଛନ୍ତି।
ସୂଚନା ଅନୁସାରେ ସମ୍ପୃକ୍ତ ବ୍ରିଟିଶ ନାଗରିକ ଜଣଙ୍କ ତାଙ୍କ ସ୍ତ୍ରୀ ଓ ଅନ୍ୟ ୧୬ ଜଣଙ୍କ ସହ ଦୁବାଇରୁ ଫ୍ଲାଇଟରେ କୋଚିନ ବିମାନ ବନ୍ଦରରେ ଓହ୍ଲାଇଥିଲେ। ସ୍କ୍ରିନିଂ କରାଯିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ମାର୍ଚ୍ଚ ୧୬ରେ ବ୍ରିଟିଶ ନାଗରିକ ଓ ତାଙ୍କ ପତ୍ନୀଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ଏର୍ଣ୍ଣାକୁଲମମର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଏଚଆଇଭି ଭାକସିନରେ ସେମାନଙ୍କ ପ୍ରାଥମିକକ ଚିକିତ୍ସା ଆରମ୍ଭ ହୋଇଥିଲା। ୪୮ ଘଣ୍ଟା ଯାଏଁ ଏଚଆଇଭି ଡ୍ରଗସ୍ ପ୍ରଦାନ କରାଯିବା ପରେ ତାହା କାମ ଦେଇଥିଲା। ଉକ୍ତ ଭାକସିନକୁ ଇଣ୍ଡିଆନ କାଉନସିଲ ଫର୍ ମେଡିକାଲ ରିସର୍ଚ୍ଚ ଅନୁମତି ପ୍ରଦାନ କରିଛି। ସମ୍ପୃକ୍ତ ବ୍ୟକ୍ତି ସୁସ୍ଥ ଥିବା ଜଣାପଡ଼ିଛି।
ମେଡିକାଲ କଲେଜର ପ୍ରଫେସର ଡାକ୍ତର ଫତାଉଦ୍ଦୀନଙ୍କ ସୂଚନା ଅନୁସାରେ କମ୍ ବୟସରେ କରୋନା ସଂକ୍ରମିତଙ୍କୁ ଏଚଆଇଭି ଭାକସିନ୍ ପ୍ରଦାନ କରାଯାଉଛି ଏବଂ ତାହା ଫଳପ୍ରଦ ସାବ୍ୟସ୍ତ ହୋଇଛି। ବ୍ରିଟିଶ ନାଗରିକ ମେଡିକାଲରେ ଭର୍ତ୍ତି ହେବାବେଳେ ତାଙ୍କ ସ୍ଥିତି ଗୁରୁତର ରହିଥିଲା।