ଲକ୍‌ଡାଉନ୍: ନିୟମ ନମାନିଲେ ସୁଟ୍‌ ଅର୍ଡର୍!

ହାଇଦ୍ରାବାଦ (ଓଟି): ମହାମାରୀ ମହାବିପତ୍ତି। ଅଦୃଶ୍ୟ ଭୂତାଣୁ ସାଜିଛି ବିଶ୍ଵ ଆତଙ୍କ। ଚାହୁଁ ଚାହୁଁ ସଂକ୍ରମଣ ବ୍ୟାପୁଛି ଓ ପ୍ରାଣ ନେଉଛି। ଏଯାଏଁ ବାହାରିନି ପ୍ରତିକାର କି ଔଷଧ। କେବଳ ଦୂରେଇ ରହିବା ଓ ସତର୍କତା ଅବଲମ୍ବନ କରିବା ଏକମାତ୍ର ବାଟ। ଏଭଳି ସ୍ଥିତିରେ ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ନିହାତି ଆବଶ୍ୟକ ନଥିଲେ ବାହାରକୁ ବାହରିବା ପାଇଁ ବାରଣ କରାଯାଇଛି। ଜନସାଧାରଣଙ୍କୁ ଏନେଇ ବାରମ୍ବାର ନିବେଦନ କରାଯାଉଛି। ତେବେ ମଧ୍ୟ କେହି ଆଇନ ଅବମାନନା କରିଲେ ଆଉ ତ୍ରାହି ନାହିଁ। ସୁଟ୍‌ ଏଟ୍‌ ଦ ସାଇଟ୍‌- ଅର୍ଥାତ୍‌ ଘଟଣାସ୍ଥଳରେ ହିଁ ଗୁଳି ମାରିଦେବାକୁ ବାଧ୍ୟ ହୋଇ କୁହାଯିବ। ଏଭଳି କଠୋର ହୋଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। କାରଣ ରାଜ୍ୟରେ ପୁଲିସ୍‌କୁ ଅନେକ ଲୋକ ସହଯୋଗ କରୁନାହାନ୍ତି। ତେଣୁ ଆବଶ୍ୟକ ପଡ଼ିଲେ କେନ୍ଦ୍ରରୁ ସେନା ମଗାଯିବ ବୋଲି ମଧ୍ୟ ସେ କହିଛନ୍ତି।

ଅନ୍ୟପକ୍ଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ କୌଣସି କଟକଣା କରଯାଇନି। ସେହିପରି ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ପୁଲିସ୍‌ ଖରାପ ବ୍ୟବହାର କରିଥିବା ଘଟଣାକୁ କେସିଆର ଗୁରୁତ୍ୱର ସହ ନେଇଛନ୍ତି। ପୁଲିସ୍‌ର ଖରାପ ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ସେ କହିବା ସହ ସମସ୍ତେ ଆଇନକୁ ମାନିବା ଉଚିତ ଓ ସଚେତନ ରହିବା ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ତେଲେଙ୍ଗାନାରେ ଗତ ମଙ୍ଗଳବାର ୩ ଜଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାରେ ସେଠାରେ   ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି।

Leave a Reply

Your email address will not be published.