ତାମିଲନାଡୁରେ ପ୍ରାଣ ନେଲା କରୋନା, ଦେଶର ମୃତ୍ୟୁ ସଂଖ୍ୟା ୧୧
ଚେନ୍ନାଇ (ଓଟି): ମହାମାରୀ କରୋନା ଭାଇରସରେ ତାମିଲନାଡୁରେ ଜଣଙ୍କର ପ୍ରାଣ ଚାଲିଯାଇଛି। ମୃତକ ଜଣଙ୍କ ମଦୁରାଇର ବାସିନ୍ଦା ଓ ସେ ରାଜାଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଚର ସି ବିଜୟବସ୍କର ସୂଚନା ଦେଇଥିବାବେଳେ ଏହାକୁ ମିଶାଇ ଦେଶରେ ମୃତକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।
ସବିଶେଷ ସୂଚନା ଅନୁସାରେ ୫୪ ବର୍ଷୀୟ ମୃତକ ଜଣଙ୍କ ଉଚ୍ଚ ରକ୍ତଚାପ ଓ ହୃଦରୋଗରେ ଆକ୍ରାନ୍ତ ଥିଲେ କିନ୍ତୁ ବିଦେଶ ଗସ୍ତ କରି ନଥିଲେ। ତେବେ ସେ କେମିତି କରୋନାରେ ଆକ୍ରାନ୍ତ ହେଲେ ସେ ନେଇ ଅନୁଧ୍ୟାନ କରାଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେହିପରି ମଙ୍ଗଳବାର ଦିଲ୍ଲୀରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ତାହା ଦ୍ଵିତୀୟ ମୃତ୍ୟୁ। ଅନ୍ୟପକ୍ଷରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୫ ଅତିକ୍ରମ କରିଥିବାବେଳେ ୩୫ ଜଣ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି।