ଜରୁରୀ ସମୟରେ ଓ୍ବେବ୍‌ମିଡିଆ ଭରସା, ସରକାର କରୁଛନ୍ତି ଅବହେଳା, ନିୟମ ଉଲ୍ଲଙ୍ଘନ

କୋଭିଡ୍‌-୧୯ କରୋନା ପ୍ରଭାବରେ ଦେଶର ବଳିଷ୍ଠ ମିଡିଆସବୁ ଲୋକଙ୍କ ପାଖରେ ନିଜର ପାରମ୍ପରିକ ମାଧ୍ୟମ ଦ୍ଵାରା ପହଞ୍ଚିବାରେ ଅସମର୍ଥ। କେଉଁଠି ବଣ୍ଟନ ନେଟ୍‌ୱର୍କ ବିପର୍ଯ୍ୟସ୍ତ ହୋଇଛି ତ କେଉଁଠି ପାଠକ ଏହି ମାଧ୍ୟମମାନଙ୍କ ପାଖରେ ପହଞ୍ଚିବାକୁ ଭୟ କରୁଛି। ଜନସମାଗମ ହେଉଥିବା ସ୍ଥାନ ଯେମିତି  ମୁଖ୍ୟ ରାସ୍ତା, ବଜାର ହେଉ ବା ଷ୍ଟେସନ୍‌, ଏୟାରପୋର୍ଟ ପ୍ରଭୃତିରୁ ଲୋକଙ୍କୁ ହଟାଇବା ଲାଗି ଆଇନ ଲାଗୁ ହୋଇଛି। ପୁଣି ଟ୍ରେନ୍‌, ବିମାନ, ବସ୍‌, ଅଟୋ ଚଳାଚଳ ବନ୍ଦ ଏଣୁ ଏହି ମାଧ୍ୟମରେ ବିଜ୍ଞାପନ ଦେବାର କୌଣସି ଫାଇଦା ନାହିଁ। ଯାହା ବଞ୍ଚିଲା ତାହା ହେଲା ରେଡିଓ, ଏଫ୍‌ଏମ୍‌, ଇ-ଖବରକାଗଜ, ଓ୍ବେବ୍‌ପୋର୍ଟାଲ୍‌ ଏବଂ ମୋବାଇଲ୍‌।  ଇ-ପତ୍ରିକା, ଇ-ଖବରକାଗଜରେ ବିଜ୍ଞାପନ ଦେବା ଲାଗି କୌଣସି ନିର୍ଦିଷ୍ଟ  ନିୟମ ନାହିଁ। ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓ୍ବେବ୍‌ ପୋର୍ଟାଲ୍‌ରେ ବିଜ୍ଞାପନ, ସଚେତନତା ବାର୍ତ୍ତା ଦେବା ଲାଗି ନିୟମ ପ୍ରଣୟନ କରିଛନ୍ତି ଏବଂ କିଛି ବିଶ୍ଵସନୀୟ ଓ୍ବେବ୍‌ପୋର୍ଟାଲ୍‌କୁ ମଧ୍ୟ ସରକାରୀଭାବେ ତାଲିକାଭୁକ୍ତ କରିଛନ୍ତି।   ମାତ୍ର ଓଡ଼ିଶା ସରକାର ନିଜ ଦ୍ଵାରା ପ୍ରକାଶିତ ନିୟମକୁ  ନିରନ୍ତର ଭାବେ ଉଲ୍ଲଙ୍ଘନ କରୁଛନ୍ତି।  ନିୟମ ନଥାଇ କିଛି ଖବରକାଗଜ ଇ-ସଂସ୍କରଣକୁ ବିଜ୍ଞାପନ ଦେଇ ଅର୍ଥଶ୍ରାଦ୍ଧ କରୁଛନ୍ତି ସିନା ନିୟମ ଅନୁସାରେ ତାଲିକାଭୁକ୍ତ ସଂସ୍ଥାରେ ବାର୍ତ୍ତା ଦେଇ ଲୋକଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ଉଚିତ ମଣୁନାହାନ୍ତି।  ଅପରପକ୍ଷେ ଯେଉଁ ସଂସ୍କାରକୁ ଆଧାର କରି ଓ୍ବେବ୍‌ ପୋର୍ଟାଲ୍‌କୁ ବଞ୍ଚିତ ଯାଉଛି ତାହା ଟିଭି ମିଡିଆ କ୍ଷେତ୍ରରେ ଲାଗୁ ହେଉ ନାହିଁ। କାରଣ ଏହା ହେଲେ ସରକାରୀ କଳ/ଦଳ ଦ୍ଵାରା ପରିଚାଳିତ ଟିଭି ଚ୍ୟାନେଲ୍‌କୁ ଅର୍ଥ ଯୋଗାଣ ବାଧା ପାଇବା ଆଶଙ୍କା ରହିଛି। ଏକ ରିପୋର୍ଟ।

ଏକ ଦାୟିତ୍ଵବାନ, ଗଣତାନ୍ତ୍ରିକ ସରକାର ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ଵ ହେଉଛି ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା। ଏଥିପାଇଁ ସରକାର ବିଭିନ୍ନ ମାଧ୍ୟମ ବ୍ୟବହାର କରନ୍ତି। ଯେଉଁ ମାଧ୍ୟମ ବ୍ୟବହାର କରାଯାଏ ସେଥିରେ ରାସ୍ତାକଡ଼ରେ ହୋର୍ଡିଂ, ଷ୍ଟେସନ୍‌ ଓ ଏୟାରପୋର୍ଟରେ ବିଜ୍ଞାପନ, ଟ୍ରେନ୍‌ରେ ବିଜ୍ଞାପନ, ଲୋକଙ୍କ କାନ୍ଥବାଡ଼ ତଥା ଜନ ସମାଗମ ସ୍ଥାନରେ କାନ୍ଥଚିତ୍ର, ଖବରକାଗଜ, ଟେଲିଭିଜନ୍‌ ରେଡିଓରେ ବିଜ୍ଞାପନ ପ୍ରଭୃତି। କିନ୍ତୁ କରୋନା ମାତିବାକୁ ଆଖିରେ ରଖି ଆମେ ସମସ୍ତ ସର୍ବସାଧାରଣ ସ୍ଥାନକୁ ବନ୍ଦ କରିଛୁ। ରେଳ, ବସ୍‌, ବିମାନ ଚଳାଚଳ ବନ୍ଦ ହୋଇଛି। ଏଭଳି କ୍ଷେତ୍ରରେ ଲୋକଙ୍କ ପାଖରେ ପହଞ୍ଚିବାର ଏସବୁ ମାଧ୍ୟମ ବନ୍ଦ ହୋଇ ସାରିଛି।  ପୁଣି ଖବରକାଗଜ ବଣ୍ଟନ ପ୍ରକ୍ରିୟା ସାରା ଦେଶରେ ବାଧା ପାଇଥିବାରୁ ରାଜ୍ୟର ଅନେକ ବଡ଼ବଡ଼ ଖବରକାଗଜ ସେମାନଙ୍କ ଛାପା ବନ୍ଦ କରିଛନ୍ତି। ଅର୍ଥାତ୍‌ ଏସବୁ ମାଧ୍ୟମରେ ବିଜ୍ଞାପନ ଦେବା ପାଣିକୁ ପଇସା ଫୋପାଡ଼ିବା ବା କାହାକୁ ତୋଷାମଦ କରିବା ଅଥବା ଅପାତ୍ରରେ ଦାନ ସହ ସମାନ।

ଏଣୁ  ଯେଉଁ ମାଧ୍ୟମ ଗ୍ରହଣୀୟ  ତାହା ହେଲା ଟିଭି, ରେଡିଓ, ଓ୍ବେବ୍‌ପୋର୍ଟାଲ୍‌ ଏବଂ ଇ-ଖବରକାଗଜ। ପ୍ରଥମେ ଟେଲିଭିଜନ୍‌ କଥା। ନ୍ୟୁଜ୍‌ ଟେଲିଭିଜନ୍‌କୁ ଛାଡ଼ିଦେଲେ ଆଉ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସ୍ତୁତ ହାର କମିଛି। ଏଣୁ ମନୋରଞ୍ଜନ ଟିଭିରେ କେବଳ ରିପିଟ୍‌ କାର୍ଯ୍ୟକ୍ରମ ଚାଲିଛି। ଏଥିରେ କେତେ ଦର୍ଶକ ରହିଛନ୍ତି, ଛାଡ଼ିଛନ୍ତି ବା ବଢ଼ିଛନ୍ତି ତାହା ଆସନ୍ତା ଦିନର ବାର୍କ ରିପୋର୍ଟ କହିବ। ହେଲେ ଆମକୁ ସ୍ଵୀକାର କରିବାକୁ ହେବ ଯେ ନ୍ୟୁଜ୍‌ ଚ୍ୟାନେଲ୍‌ଗୁଡ଼ିକ ଅନବରତ କାମ କରୁଛନ୍ତି। ସେମାନେ ଲୋକଙ୍କ ପାଖରେ ଆବଶ୍ୟକ ସୂଚନା ପହଞ୍ଚାଇବା ପାଇଁ ଅନେକ ଉଦ୍ୟମ କରୁଛନ୍ତି ଆଉ ଲୋକେ ବି ଏବେ ଦିନ ରାତି ନ୍ୟୁଜ୍‌ ଟେଲିଭିଜନ୍‌କୁ ତାଙ୍କ ଆଖପାଖ ଏବଂ ଦେଶ ବିଦେଶର ଖବର ଜାଣିବାକୁ ଅପେକ୍ଷା କରୁଛନ୍ତି।

ରେଡିଓ ଏବଂ ଏଫ୍‌ଏମ୍‌ର ଅତ୍ୟନ୍ତ ସୀମିତ ଶ୍ରୋତା ରହିଥିବା ସମସ୍ତଙ୍କୁ ଜଣା। ଗାଡ଼ିରେ ଗଲାବେଳେ ଏଫ୍‌ଏମ୍‌ ଗୀତ ଶୁଣିବା ଏକ ଅଭ୍ୟାସ। ଏବେ ଗାଡ଼ି ଚଳାଇବା ତ ନାହିଁ ଅର୍ଥାତ୍‌ ସେ ମଉକା ବି ନାହିଁ। କିନ୍ତୁ ରେଡିଓ ଏବଂ ଏଫ୍‌ଏମ୍‌ର ଭୂମିକା ଅନେକ ଗୁରୁତ୍ଵପୂଣ୍ଣ ଏହାକୁ କେହି ମନା କରିବେ ନାହିଁ।

ଖବରକାଗଜ ଅନେକ ମାଧ୍ୟମ ଦେଇ ଘରକୁ ଆସିଥାଏ। ଏହା ଜୀବାଣୁର ବାହକ ହେବା ଆଶଙ୍କା ରହିଛି। ପୁଣି ଦେଶସାରା ଖବରକାଗଜ ବିତରଣ ଏକ ସମସ୍ୟା ହୋଇ ରହିଛି। ମ୍ୟାଜିନ୍‌ ଷ୍ଟଲ୍‌ ବନ୍ଦ ପଡ଼ିଛି। ଏଭଳି ପରିସ୍ଥିତିରେ ହିନ୍ଦୁସ୍ତାନ ଟାଇମ୍ସଠୁ ଆରମ୍ଭ କରି ସମ୍ବାଦ ଯାଏ ବଳିଷ୍ଠ ଖବରକାଗଜ ସଂସ୍ଥାମାନେ ନିଜର ଛାପା ସଂସ୍କରଣକୁ ବନ୍ଦ କରିଛନ୍ତି। ଇ-ପତ୍ରିକାକୁ ବିକଳ୍ପ ଭାବେ ଗ୍ରହଣ କରିଛନ୍ତି। ହେଲେ ସେମାନେ ସରକାରୀ ବିଜ୍ଞାପନ ସେଥିରେ ଛାପିଛନ୍ତି। ଅର୍ଥାତ୍‌ ସରକାରଙ୍କୁ ଠକିବା ଲାଗି ବିଲ୍‌ ପଇଠ ସମୟରେ ତାହାର କିଛି କପି ବିଲ୍‌ ସହ ବିଜ୍ଞାପନ ବିଭାଗରେ ପଇଠ କରିବେ। ଆଉ ସରକାର ବିନା କୌଣସି ଯାଞ୍ଚରେ ତାହାକୁ ମୁକୁଳାଇବେ!

ଏଣୁ ପରିସ୍ଥିତି ଅନୁସାରେ ଲୋକଙ୍କ ପାଖରେ ଆବଶ୍ୟକ ସୂଚନା, ବାର୍ତ୍ତା ପହଞ୍ଚାଇବାକୁ ହେଲେ ଇଣ୍ଟରନେଟ୍‌, ଇ-ପେପର ବା ଇଣ୍ଟରନେଟ୍‌ ମାଧ୍ୟମରେ ଖବର ପ୍ରସାରଣ କରୁଥିବା ମାଧ୍ୟମଗୁଡ଼ିକ ହିଁ ବିକଳ୍ପ। ଏଥିଲାଗି ସରକାରୀ ସ୍ତରରେ ଅନେକ ବିଶ୍ଵସନୀୟ ଓ୍ବେବ୍‌ ପୋର୍ଟାଲ୍‌କୁ ସ୍ଥିର କରାଯାଇଛି। ସେଗୁଡ଼ିକରେ ବିଜ୍ଞାପନ ଖର୍ଚ ବି ସ୍ଵଳ୍ପ। ଏଣୁ ସରକାର ତାହାକୁ ବ୍ୟବହାର କରିବା କଥା, କିନ୍ତୁ ସରକାରୀ କଳ ସେ ସୁବିଧା ନେବାକୁ ଆଗଭର ହେଉନାହିଁ। ଏହି ତାଲିକାରେ ବହୁଳ ପ୍ରସାରିକ ଖବରକାଗଜ ଓ ଟେଲିଭିଜନ୍‌ ସଂସ୍ଥାମାନଙ୍କ ଓ୍ବେବ୍‌ସାଇଟ୍‌ ବି ରହିଛି, କିନ୍ତୁ   ରାଜ୍ୟ ସରକାର କିଛି ଦିନ   ଓ୍ବେବ୍‌ସାଇଟ୍‌ ମାଧ୍ୟମରେ କୌଣସି ବିଜ୍ଞାପନ ଦେବା ପରେ ନିୟମ ଉଲ୍ଲଙ୍ଘନ କରି ଚାଲିଛନ୍ତି।

କାରଣ କ’ଣ

ଡିସେମ୍ବର୪ ତାରିଖ ୨୦୧୭ ମସିହାରେ ସରକାର ଅନେକ ତର୍ଜମା ପରେ ଏକ ସ୍ଵତନ୍ତ୍ର ଓ୍ବେବ୍‌ସାଇଟ୍‌ ତାଲିକାକରଣ ନିର୍ଦେଶାବଳୀ ପ୍ରସ୍ତୁତ କଲେ। ଏହାବଳରେ ବିଭିନ୍ନ ଖବରକାଗଜ ଓ ସ୍ଵାଧୀନ ଭାବେ ଖବର ପ୍ରସାର କରୁଥିବା ଓ୍ବେବ୍‌ସାଇଟ୍‌କୁ ,ସେମାନଙ୍କ ବିଶ୍ଵସନୀୟତା ଏବଂ ପାଠକଙ୍କ ସଂଖ୍ୟାକୁ ବିଚାର କରି ତାଲିକାଭୁକ୍ତ କରାଗଲା। କିନ୍ତୁ କିଛିଦିନ ପରେ ସରକାରଙ୍କ ସଚିବ ସ୍ତରରେ ଅଦଳବଦଳ ହେଲା। ଆଉ ତାଙ୍କ ହାତରେ ନିୟମ ଏକ ଫରୁଆ ଭିତରେ ଚାପି ହୋଇଗଲା। ଅଲିଖିତ ଭାବେ ଜଣାଇ ଦିଆଗଲା ଯେ, ଏହି ନିୟମ ଭାରତ ସରକାରଙ୍କ ଡିଏଭିପି ଆଧାରରେ ହୋଇ ନାହିଁ ଏଣୁ ଏହାକୁ ସେହି ଆଧାର ଦେବା ପାଇଁ ସଂଶୋଧନ କରିବା ଦରକାର। ହେଲେ ଏଭିତରେ ଏକ ବର୍ଷରୁ ଅଧିକ ସମୟ ହେଲାଣି। ସରକାରୀ ସ୍ତରରେ ଏଖ ଘରୋଇ ସଂସ୍ଥାକକୁ ବି ଏହି ଓ୍ବେ୍‌ ନୀତିକୁ ବଦଳାଇବା ଲାଗି ପରାମର୍ଶ ଦେବାକୁ ନିଯୁକ୍ତି ଦିଆଯାଇ ତାଠୁ ରିପୋର୍ଟ ସଂଗ୍ରହ ପାଇଁ କୁହାଯାଇଛି। ହେଲେ  ସରକାରଙ୍କ ଅପାରଗ ସୂଚନା ଓ ଲୋକସମ୍ପର୍କ ବିଭାଗ ଏଥିନେଇ ନିୟମଟିଏ ତିଆରି କରିବାରେ ସକ୍ଷମ ହୋଇ ପାରି ନାହାନ୍ତି। କିନ୍ତୁ ସରକାରୀ ସହାୟତାକୁ ନ ଆଖେଇ ଓ୍ବେବ୍‌ ମିଡିଆ ମାଓଧ୍ୟମରେ ସ୍ଵାଧୀନ ଖବର ପରିବେଷଣ ଲଗାତାର ଜାରି ରଖିଛନ୍ତି।

ପ୍ରଚଳିତ ବିଧି ଅନୁସାରେ ନା କେନ୍ଦ୍ରରେ ନା ରାଜ୍ୟରେ ନିୟମ ବଦଳି ନାହିଁ ବୋଲି କୌଣସି ସ୍ଥାନରେ କେବେ ସରକାରୀ କାର୍ଯ୍ୟ ଅଟକେ ନାହିଁ। ଏଥିରେ ସଚିବ ଏବଂ ସରକାର ଚାହିଁଲେ ଏକ ବିଜ୍ଞପ୍ତି ଜାରି କରି ଆବଶ୍ୟକ ସଂଶୋଧନ ଅସ୍ଥାୟୀ ଭାବେ କରିବାର ବିଧି ରହିଛି। ଏମିତି ଅନେକ ନିୟମ ଆଗରୁ କାର୍ଯ୍ୟକାରୀ କରାଯାଇଥିବାର ନଜୀର ରହିଛି।  କିନ୍ତୁ ଏ କ୍ଷେତ୍ରରେ ତାହା କରା ନଯିବା ସମ୍ପୂଣ୍ଣ ଭାବେ ଗଣତାନ୍ତ୍ରିକ ନିୟମର ବିରୁଦ୍ଧାଚରଣ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁଣି ଏହି ନିୟମକୁ ଜାଣିଶୁଣି ଚାପି ଦିଆଯିବା କିଛି ଲୋକଙ୍କ ନ୍ୟସ୍ତସ୍ଵାର୍ଥ ସହ ଯୋଡ଼ା ବୋଲି ବି ଆଶଙ୍କା ହେଉଛି।

ବାଛ ବିଚାର

ଅପରପକ୍ଷେ ସରକାର ଯେଉଁ ଡିଏଭିପି ନିୟମକୁ ଲାଗୁ କରିବାକୁ ଚାହୁଁଛନ୍ତି ତାହା ସମସ୍ତ ମିଡିଆରେ ଲାଗୁ କରାଯିବା ବିଧେୟ। କେବଳ ପ୍ରିଣ୍ଟ ଓ ଓ୍ବେବ୍‌ ମିଡିଆ ପାଇଁ ନୁହେଁ। ପ୍ରିଣ୍ଟ ମିଡିଆରେ ତାହା ଲାଗୁ କରାଯାଇଛି। ଟିଭି ମିଡିଆ କ୍ଷେତ୍ରରେ ତାହାକୁ ଜାଣିଶୁଣି ଲାଗୁ କରାଯାଇ ନାହିଁ। କାରଣ ଏହା ହେଲେ ପ୍ରଚ୍ଛଦ୍ଦ ଭାବେ ସରକାରୀ କଳ ଦ୍ଵାରା ପ୍ରୋତ୍ସାହିତ ଏକ ଟିଭି ଚ୍ୟାନେଲ୍‌ ପ୍ରଭାବିତ ହେବା ଆଶଙ୍କା ରହିଛି। ପୁଣି ଏହି ନିୟମ ଲାଗୁ ହେଲେ ଟେଲିଭିଜନ୍‌ ବିଜ୍ଞାପନ ପାଇଁ ସରକାରଙ୍କୁ ଅଧିକ ଟଙ୍କା ଖର୍ଚ କରିବାକୁ ପଡ଼ିବ। ଏଣୁ ଏହି ନିୟମକୁ ଲାଗୁ କରାଯାଉ ନାହିଁ। ପୁରୁଣା ନିୟମରେ ବିଜ୍ଞାପନ ପ୍ରସାରଣ କରାଯାଉଛି।

ଶେଷକଥା

ଏହି ଯୁକ୍ତିରେ ଓ୍ବେବ୍‌ ମିଡିଆକୁ ବାଦ୍‌ ଦିଆଯିବା ସମ୍ପୂଣ୍ଣ ଭାବେ ଏକ ଷଡ଼ଯନ୍ତ୍ର। ସରକାର ଏହି ଷଡ଼ଯନ୍ତ୍ରକୁ ଜରୁରୀ ସ୍ଥିତିରେ ସମୀକ୍ଷା କରି ଲୋକଙ୍କ ପାଖରେ ଅନବରତ ପହଞ୍ଚୁଥିବା ଗଣମାଧ୍ୟମ ଦ୍ଵାରା ଲୋକଙ୍କ ପାଖରେ ପହଞ୍ଚିବା ବନ୍ଦ କରନ୍ତୁ ନାହିଁ। ଏହାଦ୍ଵାରା ନା ସରକାରୀ କଳକୁ କିଛି ଫାଇଦା ମିଳିବ ନା ବିଜ୍ଞାପନର ପ୍ରକୃତ ମହତ୍ତ୍ଵ ରହିବ!

 

 

 

Leave a Reply

Your email address will not be published. Required fields are marked *