ବିଶ୍ଵ ଆତଙ୍କ: କରୋନା ନେଲାଣି ସାଢ଼େ ୧୬ ହଜାର ମୁଣ୍ଡ

ନୂଆଦିଲ୍ଲୀ (ଓଟି): ମହାମାରୀ କୋବିଡ୍‌-୧୯ ତଥା କରୋନା ଭାଇରସ୍‌ ସମଗ୍ର ବିଶ୍ଵ ପାଇଁ ସାଂଘାତିକ ସାବ୍ୟସ୍ତ ହୋଇସାରିଲାଣି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ବିଶ୍ୱରେ ୧୬ହଜାର ୫୫୮ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮୧ ହଜାର ୭୬୧କୁ ପହଞ୍ଚିଗଲାଣି। ଅନ୍ୟପକ୍ଷରେ ୬୬ହଜାର ୯୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ରହିଛି।

ଭାରତରେ ମୃତ୍ୟୁ ସଂଖ୍ୟା ୧୦

ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସୂତ୍ରରୁ ଜଣାପଡ଼ିଛି ଯେ ହିମାଚଳପ୍ରଦେଶର ଟଣ୍ଡା ହସ୍ପିଟାଲରେ ଜଣେ ୬୯ ବର୍ଷିୟା ମହିଳାଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ଘଟିଛି। ସେ ଆମେରିକାରୁ ମାର୍ଚ୍ଚ ୧୫ରେ ଫେରିଥିବା ରିପୋର୍ଟରୁ ଜଣାପଡ଼ିଛି। ଏଥିସହ ସୋମବାର ମୋଟ ୩ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫଳରେ ଭାରତରେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ସେହିପରି ମୋଟ ଆକ୍ରାନ୍ତ ସଂଖ୍ୟା ୫୧୧ରେ ପହଞ୍ଚି ଯାଇଥିବା ଜଣାପଡ଼ିଛି।

ଉତ୍ତର-ପୂର୍ବାଞ୍ଚଳରର ପ୍ରଥମ ଆକ୍ରାନ୍ତ

ମଣିପୁରର ଜଣେ ୨୩ ବର୍ଷୀୟା ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେ ନିକଟରେ ଇଂଲଣ୍ଡରୁ ଫେରିଥିଲେ। ଏହା ଦେଶର ଉତ୍ତର-ପୂର୍ବାଞ୍ଚଳ ପ୍ରଥମ କରୋନା କେସ୍‌ ବୋଲି ଜଣାପଡ଼ିଛି। ପୂର୍ବରୁ ଆସାମର ୪ବର୍ଷର ଝିଅଙ୍କ କରୋନା ରିପୋର୍ଟ ପଜିଟିଭ ଥିବା କୁହାଯାଉଥିଲା। କିନ୍ତୁ ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି ଏବଂ ଦେଶର ୫୬୦ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି।

Leave a Reply

Your email address will not be published.