‘ୟେସ୍ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା ସୁରକ୍ଷିତ’

ନୂଆଦିଲ୍ଲୀ (ଓଟି): ୟେସ୍ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଆସନ୍ତା ବୁଧବାର ଠାରୁ ପ୍ରତ୍ୟାହାର କରିନିଆଯିବା ସହିତ  ଚଳିତ ଗ୍ରାହକମାନେ  ଏହାପରେ  ନିୟମିତ ଭାବେ ବ୍ୟାଙ୍କିଙ୍ଗ କାରବାର କରିପାରିବେ । ଏହାବ୍ୟତୀତ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ଏବଂ ଜମାକାରୀମାନେ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରକାଶ କରିଛନ୍ତି।

ଶ୍ରୀ ଦାସ କହିଛନ୍ତି ଯେ, ବ୍ୟାଙ୍କର ଆର୍ଥିକ ପୁନର୍ଗଠନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତ୍ୱରାନ୍ୱିତ ପଦକ୍ଷେପ ନିଆଯାଉଥିବା ବେଳେ  ଏନେଇ ରିଜର୍ଭ ବ୍ୟାଙ୍କ  ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇସାରିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୟେସ୍ ବ୍ୟାଙ୍କରେ ପ୍ରାୟ ୭୨୫୦ କୋଟି ନିବେଶ ହେବାକୁ ଯାଉଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କ  ମଧ୍ୟ ୧୦୦୦ କୋଟି ନିବେଶ କରିବ। ସେହିପରି ଏଚ୍‌ଡିଏଫ୍‌ସି ୧୦୦୦ କୋଟି ଏବଂ  ଆକ୍ସିସ୍  ବ୍ୟାଙ୍କ, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ, ଦାମାନୀ, ଝୁନ୍‌ଝୁନ୍‌ୱାଲା  ଓ ପ୍ରେମଜୀ ପ୍ରତ୍ୟେକ ୩ ପ୍ରତିଶତ ଅଂଶଧନ ଅକ୍ତିଆର କରିବା ସହ ୫୦୦ କୋଟି ଟଙ୍କା ଲେଖାଏଁ ନିବେଶ କରିବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ୫ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ୍ ବ୍ୟାଙ୍କର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଯିବା ସହ ଏହାର  ପରିଚାଳନା ବୋର୍ଡକୁ ଭାଙ୍ଗି ଦିଆଯାଇଥିଲା। ସେହି ସ୍ଥାନରେ ଏସ୍‌ବିଆଇର ପୂର୍ବତନ ଉପ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଥିଲା।

Leave a Reply

Your email address will not be published. Required fields are marked *