ଡିଜିପିଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

ଭୁବନେଶ୍ଵର (ଓଟି):  ମହାମାରୀ କରୋନା ମୁକାବିଲା ନେଇ ରାଜ୍ୟ ସରକାର ଖୁବ୍‌ ତତ୍ପରତା ପ୍ରକାଶ କରିଛନ୍ତି। ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିବାବେଳେ ପରିସ୍ଥିତି ପ୍ରତି କଡ଼ା ନଜର ରଖିଛନ୍ତି ବିଭିନ୍ନ ବିଭାଗୀୟ ଅଧିକାରୀ। ସେହିପରି ବିଭିନ୍ନ ଜିଲ୍ଲା ପ୍ରଶାସନ ଇତିମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଏବଂ ଆବଶ୍ୟକ ନଥିଲେ ସର୍ବସାଧାରଣ ସ୍ଥଳଗୁଡ଼ିକୁ ବନ୍ଦ କରିଦିଆଯାଇଛି। ସେହିପରି ଭୁବନେଶ୍ଵର-କଟକ ଦ୍ଵୈତ ନଗରୀରେ ସମସ୍ତ ବଡ଼ ମଲ୍‌ ବନ୍ଦ ହୋଇଯାଇଛି। ଏହିକ୍ରମରେ ମହାମାରୀ କରୋନା ମୁକାବିଲା ପାଇଁ ଡିଜିପି ମଧ୍ୟ ଗୁରୁତ୍ଵପୂର୍ଣ୍ଣ ବୈଠକ କରିସାରିଛନ୍ତି।

ସୂଚନା ଅନୁସାରେ, ଭୁବନେଶ୍ବରସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ବୈଠକ ହୋଇଛି। ଏଥିରେ ପୁଲିସ୍‌ କମିଶନର, ଭୁବନେଶ୍ଵର ଡିସିପି, ଆଇଜି (ଆଇନଶୃଙ୍ଖଳା )ଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। କରୋନା ମୁକାବିଲା ନେଇ ପୁଲିସ ପ୍ରଶାସନର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ସମଗ୍ର ବିଶ୍ଵରେ ମାରାତ୍ମକ ରୂପ ନେଇସାରିଛି କୋବିଡ୍‌-୧୯ ବା କରୋନା ଭାଇରସ। ସମ୍ପ୍ରତି ମୃତ୍ୟୁ ସଂଖ୍ୟା ସାଢ଼େ ୬ ହଜାର ଛୁଇଁବା ନେଇ ଆଶଙ୍କା ପ୍ରକାଶ କରାଯାଉଛି। ସେହିପରି ବିଭିନ୍ନ ଦେଶ ସମେତ ଭାରତରେ ଏନେଇ କଡ଼ା କଟକଣା କରାଯାଇଛି। ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇ କ୍ୟାପିଟାଲ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ସବୁ ମହଲରେ ତତ୍ପରତା ପ୍ରକାଶ ପାଇଛି।

‘ଥାନାରେ ପଶିବା ପୂର୍ବରୁ ହାତ ଧୁଅ’

କରୋନା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବିଭିନ୍ନ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଲୋକଙ୍କୁ ମାସ୍କ-ଗ୍ଲୋବ୍ସ ଆଦି ବଣ୍ଟନ କରାଯିବା ସହ ସତର୍କ କରାଯାଉଛି। ସେହିପରି ବିଭିନ୍ନ ଥାନା ପକ୍ଷରୁ ଲୋକଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବୁଝାଯାଉଛି। ଏପରିକି ଥାନା ଭିତରକୁ ପଶିବା ପୂର୍ବରୁ ଭଲ ଭାବେ ହାତ ଧୋଇବାକୁ କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଅନେକ ସ୍ଥାନରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *