ସୁବାସ ଚୌହାନ ନିଖୋଜ୍!
ଭୁବନେଶ୍ଵର, (ଓଟି): ପୂର୍ବତନ ବଜରଙ୍ଗଦଳ ଓଡ଼ିଶା ପ୍ରମୁଖ ତଥା ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦାୟିତ୍ଵ ସମ୍ଭାଳିଥିବା ସୁବାସ ଚୌହାନଙ୍କ ଆଉ ଖୋଜ୍ ଖବର ମିଳୁ ନାହିଁ। ସୋଶାଲ୍ ମିଡିଆରେ ସେ ଫେବୃୟାରୀ ୫ ତାରିଖରୁ ନୀରବ ରହିଛନ୍ତି। ବରଗଡ଼ ହସ୍ପିଟାଲ୍କୁ ସିଏଚ୍ସି ମାନ୍ୟତା ଦେଇଥିବା ହେତୁ ସୁବାସ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଶେଷ ସୋଶାଲ୍ ମିଡିଆ ଉଭୟ ଟ୍ବିଟର ଏବଂ ଫେସ୍ବୁକ୍ରେ ପୋଷ୍ଟିଂ କରିଥିଲେ। ଏହାପରେ ନା ତାଙ୍କର ଟେଲିଫୋନ୍ରୁ କୌଣସି ବାର୍ତ୍ତା ଗଣମାଧ୍ୟମକୁ ଆସୁଛି ନା କୌଣସି ସାଧାରଣ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଛି। ନିକଟତର ଲୋକେ କେବଳ ଏତିକି କହୁଛନ୍ତି ‘ଭାଇ ଦିଲ୍ଲୀ ଯାଇଛନ୍ତି’। ରାଜ୍ୟ ଏବେ କରୋନା ବିପତ୍ତିରେ ଉବୁଟୁବୁ ହେଉଥିବା ବେଳେ ପଶ୍ଚିମଓଡ଼ିଶା ବିକାଶ ପରିଷଦର ତୁଙ୍ଗ ସଭାପତି ଗଲେ କୁଆଡ଼େ?
ସୁବାସ ପୂର୍ବରୁ ସୋଶାଲ୍ ମିଡିଆରେ ଏତେ ସକ୍ରିୟ ନଥିଲେ। କିନ୍ତୁ ବିଜେଡିରେ ଯୋଗ ଦେବା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଦାୟିତ୍ଵ ନେବା ପରେ ଧୀରେ ଧୀରେ ବିଜେଡିର ପ୍ରଚାର ରାଜନୀତିରେ ସାମିଲ୍ ହୋଇଥିଲେ। ନିଜ କାର୍ଯ୍ୟ ବିଷୟରେ ହେଉ ବା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ/କୃତଜ୍ଞତା ସ୍ଵରୂପ ବାର୍ତ୍ତା ଥାଇ ପୋଷ୍ଟ ପକାଉଥିଲେ। ହେଲେ ଗଲା ଏକ ମାସରୁ ଅଧିକ ସମୟ ହେଲାଣି ସେ ଆଉ କୌଣସି ସୋର ଶବ୍ଦ କରୁ ନାହାନ୍ତି। ଫୋନ୍ରେ ମଧ୍ୟ ଜବାବ ଦେଉ ନାହାନ୍ତି।
ସୁବାସ ଜଣେ ସଫଳ ସଂଗଠକ। ବିତିଥିବା ନିର୍ବାଚନରେ ତାଙ୍କୁ ବିଜେପି ସାଂସଦ ଟିକେଟ୍ ଦେଇ ନଥିଲା। ରାଗ/ରୁଷା କରି ସେ ବିଜେପିରୁ ଅଲଗା ହେଲେ ଆଉ ବିଜେଡି ପକ୍ଷଭୁକ୍ତ ହୋଇଥିଲେ। ଏହା ପରେ ଦଳ ପକ୍ଷରୁ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଥଇଥାନ କରାଯାଇଥିଲା। ହେଲେ ଏଥିରେ ତାଙ୍କୁ ଶାନ୍ତି ମିଳିପାରି ନଥିବା ଜଣାପଡ଼ିଛି। ଏ ଭିତରେ ବିଜେପି-ବିଜେଡି ଭିତରେ ସମୀକରଣ ବଦଳିଛି। ଆଉ ଦଳ ଭିତରେ ସେ ବିଶେଷ ଛଟପଟ ହେଉଛନ୍ତି ବୋଲି ତାଙ୍କର ନିକଟତମ ମହଲ ସୂଚନା ଦେଇଛନ୍ତି।











