ନୂଆ ରୂପ ନେବ ଓୟୁଏଟି

ଭୁବନେଶ୍ଵର(ଓଟି): ନୂଆ ରୂପ ନେବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି)। କ୍ୟାମ୍ପସ୍‌ର ହେବ ନବକଳେବର। ଗତ ୧୭ରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଓୟୁଏଟି ଗସ୍ତ କରି ସମସ୍ୟା ଅନୁଧ୍ୟାନ କରିଥିଲେ ଏବଂ ସମାଧାନ ପାଇଁ ଆଲୋଚନା କରିଥିଲେ। ଓୟୁଏଟି କର୍ତ୍ତୃପକ୍ଷ କ୍ୟାମ୍ପସକୁ ‌ସଜାଡ଼ିବାକୁ ମତାମତ ଦେଇଥିଲେ। ସେହି ଅନୁସାରେ ବ୍ୟାପକ ଉଦ୍ୟମ କରାଯାଉଛି। କୃଷି ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଓୟୁଏଟିର ପୁନରୁଦ୍ଧାର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ମୁଖ୍ୟତଃ ହଷ୍ଟେଲଗୁଡ଼ିକର ପୁନଃ ନିର୍ମାଣ ଓ ନବୀକରଣ ନେଇ ନିଷ୍ପତ୍ତି ହୋଇଛି। ଓୟୁଏଟି କୁଳପତି ପୱନ ଅଗ୍ରୱାଲ  ଏନେଇ ଯେଉଁ ପ୍ରସ୍ତାବ ଦେଇଥିଲେ ସେ ସମ୍ପର୍କରେ ବିଚାର କରିବା ପରେ ଓୟୁଏଟିର ନବୀକରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ‌ଓୟୁଏଟି ଏବଂ ଏହାର କ୍ୟାମ୍ପସରେ ଥିବା ସ୍ନାତକ ଓ ସ୍ନାତକୋତ୍ତର କଲେଜଗୁଡ଼ିକର ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ ହେବ। ସେହିପରି ୨୦୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ କମ୍ପ୍ଲେକ୍ସ ଏବଂ ଓୟୁଏଟିରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ ‌କମ୍ପ୍ଲେକ୍ସ ନିର୍ମାଣ ହେବ। ଏଥିପାଇଁ ଓୟୁଏଟି କର୍ତ୍ତୃପକ୍ଷ ୬.୫ଏକର ଜମି ଚିହ୍ନଟ କରିଛନ୍ତି। ଏଠାରେ ଇନଡୋର୍ ଓ ଆଉଟଡୋର୍ କ୍ରୀଡ଼ା ସୁବିଧା ରହିବ। ଏଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *