କରୋନା: ଭାରତରେ ପ୍ରଥମ ମୃତ୍ୟୁ!
ବେଙ୍ଗାଲୁରୁ, ନୂଆଦିଲ୍ଲୀ (ଓଟି): ସୂଚନା ଯଦି ସତ, ତେବେ କରୋନା ଭାରତରେ ପ୍ରଥମ ପ୍ରାଣ ନେଇଛି। ମୃତକ ହେଉଛନ୍ତି କର୍ଣ୍ଣାଟକରେ ୭୬ ବର୍ଷ ବୟସ୍କ ବ୍ୟକ୍ତି। କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ନମୁନା ପରୀକ୍ଷା ପାଇଁ ପଠାଯାଇଛି ଓ ଆସିବା ପରେ ଖବର ସ୍ପଷ୍ଟ ହେବ।
କର୍ଣ୍ଣାଟକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ କାଲାବୁରାଗିରେ ଜିଲ୍ଲା ମୃତକଙ୍କ ନାମ ମହମ୍ମଦ ହୁସେନ୍ ସିଦ୍ଦିକି। ତାଙ୍କର ନମୁନା ବେଙ୍ଗାଲୁରୁର ଏକ ଲ୍ୟାବକୁ ପଠାଯାଇଛି। ସିଦ୍ଦିକି ନିକଟରେ ସାଉଦି ଆରବରୁ ଫେରିଥିଲେ। ଅନ୍ୟପକ୍ଷରେ ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି। କେରଳରେ ୧୪ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଦିଲ୍ଲୀ ଓ ରାଜସ୍ଥାନରେ ଗୋଟିଏ ଲେଖାଏ ମାମଲା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସ୍ପେନ, ଫ୍ରାନ୍ସ, ଜର୍ମାନୀ, ଚୀନ୍, ଦକ୍ଷିଣ କୋରିଆ, ଜାପାନ, ଇଟାଲୀ ଓ ଇରାନ ପାଇଁ ସମସ୍ତ ଭିସାକୁ ସ୍ଥଗିତ ରଖିଛନ୍ତି। ଏଥିସହ ସମ୍ପୃକ୍ତଚ ଦେଶଗୁଡ଼ିକୁ ଯିବା ପାଇଁ ବାରଣ କରାଯାଇଛି।
ସୂଚନାଯୋଗ୍ୟ କରୋନା ଭାଇରସ୍ ସମ୍ପ୍ରତି ୧୦୦ରୁ ଅଧିକ ଦେଶକୁ ବ୍ୟାପିଛି। ଭାରତକୁ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ଏବଂ ସେମାନଙ୍କ ପହଞ୍ଚିବା ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ସ୍ଵତନ୍ତ୍ର ରହିବାକୁ ଅନୁରୋଧ କରାଯାଇଛି।