ରାଜ୍ୟସଭା ପାଇଁ ୪ ଜଣଙ୍କ ନାଁ
ଭୁବନେଶ୍ୱର (ଓଟି): ରାଜ୍ୟସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଓଡ଼ିଶା ଭାଗରେ ଥିବା ଆସନରୁ ୪ଟି ପାଇଁ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଣା କରିଛନ୍ତି ୪ ପ୍ରାର୍ଥୀଙ୍କ ନାମ।
ସୂଚନା ଅନୁସାରେ ସୁଭାଷ ସିଂ, ସୁଜିତ କୁମାର, ମୁନା ଖାଁ ଓ ମମତା ମହାତୋଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ସିଂଙ୍କ ସ୍ଥାନରେ ରମେଶଚନ୍ତ୍ର ଚ୍ୟାଉ ପଟ୍ଟନାୟକଙ୍କୁ କ୍ୟାବିନେଟ୍ ପାହ୍ୟା ସହ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି।
ମାର୍ଚ୍ଚ ୧୩ ନାମାଙ୍କନ ଦାଖଲର ଶେଷ ତାରିଖ ଏବଂ ୨୬ରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି। ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ନିର୍ବାଚନ ହେବା ସମ୍ପର୍କରେ କିଛିଦିନ ପୂର୍ବେ ନିର୍ବାଚନ କମିଶନ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଓଡ଼ିଶା କ୍ଷେତ୍ରରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ୩ଟି ରାଜ୍ୟସଭା ଆସନ ଯିବାକୁ ଥିବାବେଳେ ଚତୁର୍ଥ ଆସନ ପାଇଁ ଟଣାଓଟରା ଲାଗି ରହିଥିଲା।











