ଏନ୍ଡିଏ ଅମଳରେ ବଢ଼ିଛି ଋଣବୋଝ
ନୂଆଦିଲ୍ଲୀ(ଓଟି): ଏନଡିଏ ଶାସନ କାଳରେ ବେଡ୍ ଲୋନରେ ୪ ଗୁଣ ବୃଦ୍ଧି ଘଟିଛି। ସେହିପରି ବିମୁଦ୍ରାକରଣ ଦେଶର ଆର୍ଥିକ ବ୍ୟବସ୍ଥାକୁ ବିଗାଡ଼ିଛି। ଅର୍ଥମନ୍ତ୍ରୀ ୟୁପିଏ ଉପରେ ଆରୋପ ଲଗାଇ ଏକ ବୟାନ ଦେଇଛନ୍ତି। ତେବେ ଅର୍ଥମନ୍ତ୍ରୀଙ୍କୁ ବାସ୍ତବ ତଥ୍ୟ ଜଣାଅଛି କି? ପାଞ୍ଚ ବର୍ଷରେ କେମିତି ଲୋନ୍ ବୁକ ୫୫,୬୩୩ କୋଟିରୁ ୨,୪୧,୪୯୯ କୋଟିରେ କେମିତି ପହଞ୍ଚିଗଲା? ଏ ସମ୍ପର୍କରେ କେନ୍ଦ୍ର ସରକାର ସ୍ପଷ୍ଟ କରିବେ କି? ଏଭଳି ପ୍ରଶ୍ନ ଉଠାଇବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମ୍।
ଏକ ଟୁଇଟ୍ ମାଧ୍ୟମରେ ଚିଦାମ୍ବରମ ୟସ ବ୍ୟାଙ୍କ ସଙ୍କଟକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏସବିଆଇକୁ ୟସ ବ୍ୟାଙ୍କରେ ନିବେଶ କଣ ପାଇଁ କରାଯିବ ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସେ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ୨୦୧୪ ମାର୍ଚ୍ଚ ଶେଷ ପର୍ଯ୍ୟାୟରେ ଋଣ ପରିମାଣ ୫୫,୬୩୩ କୋଟି ରହିଥିବାବେଳେ ୨୦୧୯ ମାର୍ଚ୍ଚ ସେହି ସମୟକୁ ୨,୪୧,୪୯୯ କୋଟିରେ ପହଞ୍ଚିଛି। ସେହିପରି ୨୦୧୭ ମାର୍ଚ୍ଚ ଶେଷରେ ଋଣ ୧,୪୮,୬୭୫ କୋଟି ଥିଲାବେଳେ ୨୦୧୯ ମାର୍ଚ୍ଚ ଶେଷ ବେଳକୁ ଏତେ ପରିମାଣ ବୃଦ୍ଧି ଘଟିବା ବଡ଼ ଆଶ୍ଚର୍ଯ୍ୟଜନକ ବୋଲି ଚିଦାମ୍ବରମ୍ ଦର୍ଶାଇଛନ୍ତି। ବିମୁଦ୍ରାକରଣ ପରେ ଦେଶର ଋଣ ପରିମାଣ ୪ ଗୁଣ ବୃଦ୍ଧି ଘଟିଥିବା ସେ ଅଭିଯୋଗ ଉଠାଇଛନ୍ତି।