ବିଜୁବାବୁ: ଓଡ଼ିଆଙ୍କ ସ୍ପର୍ଦ୍ଧିତ ଉଚ୍ଚାରଣ
ଭୁବନେଶ୍ୱର (ଓଟି): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ପ୍ରିୟ ବିଜୁବାବୁ। ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ସେହି ନାମ। ଅଦ୍ୟମ ସାହସୀ ଓ ଦୂରଦ୍ରଷ୍ଟା ରାଜନେତା ବିଜୁବାବୁଙ୍କ ସ୍ୱତନ୍ତ୍ର ଅବଦାନ ଓ ନିଆରାପଣ ପାଇଁ ଓଡ଼ିଶାବାସୀଙ୍କ ସେ ସର୍ବକାଳୀନ ପ୍ରିୟ ହୋଇପାରିଛନ୍ତି। ଆଜି ତାଙ୍କର ୧୦୪ତମ ଜୟନ୍ତୀ ଅବସରରେ ଶାସକ ବିଜେଡି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ବିଭିନ୍ନ ମହଲରେ ମଧ୍ୟ ଜୟନ୍ତୀ ପାଳନ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ବିଜୁବାବୁଙ୍କ ଜନ୍ମଦିନକୁ ରାଜ୍ୟରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବାବେଳେ ଏହି ଅବସରରେ ଆସନ୍ତୁ ସେହି ଅନନ୍ୟ ନେତାଙ୍କ ଅବଦାନ ସମ୍ପର୍କରେ ସମ୍ୟକ୍ ଆଲୋକପାତ କରିବା।
ସଂକ୍ଷିପ୍ତରେ ସ୍ମୃତିଚାରଣ
୧୯୧୬ରେ ଜନ୍ମଗ୍ରହଣ କରିଥିବା ବିଜୁବାବୁ ୧୯୬୧ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହୋଇଥିଲେ। ଏହି ଅବଧି କେବଳ ୨ବର୍ଷ ପାଇଁ ରହିଥିଲା। ତେବେ ଦ୍ୱିତୀୟଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହେବାବେଳକୁ ୩ ଦଶନ୍ଧି ବିତିଯାଇଥିଲା। ୧୯୯୦ରେ ଦ୍ୱିତୀୟଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବାବେଳେ ତାହା ପରଠୁ ନେଇଥିଲେ ଉଲ୍ଲେଖନୀୟ ପଦକ୍ଷେପ। ଯାହାକି ଓଡ଼ିଶା ଇତିହାସରେ ସର୍ବଦା ଜ୍ୟୋତି ଭଳି ଚମକୁଥିବ। ସେହି ନିଆରା ଓ ଯୁଗାନ୍ତକାରୀ ପଦକ୍ଷେପ ହେଉଛି- ପଞ୍ଚାୟତିରାଜ ବ୍ୟବସ୍ଥା। ଏଥିସହ ଆଉ ୨ଟି ଉଲ୍ଲେଖନୀୟ ବିଲ୍ ମଧ୍ୟ ବିଧାନସଭାରେ ଗୃହୀତ ହୋଇପାରିଥିଲା। ୧୯୯୧ରେ ପାରିତ ହୋଇଥିବା ସେହି ଗୁରୁତ୍ୱପୂର୍ଣ୍ଣ ୩ଟି ବିଲ୍ ହେଉଛି- ଗ୍ରାମପଞ୍ଚାୟତ ବିଲ୍, ଓଡ଼ିଶା ଜିଲ୍ଲା ପରିଷଦ ଆଇନ ଓ ଓଡ଼ିଶା ପଞ୍ଚାୟତ ସମିତି ସଂଶୋଧିତ ଆଇନ। ଉକ୍ତ ବିଲ୍ଗୁଡ଼ିକ ପାରିତ ହେବା ପରେ ପଞ୍ଚୟତିରାଜ ଅନୁଷ୍ଠାନଗୁଡ଼ିକ ସକ୍ରିୟ ହୋଇଥିଲା। ନିର୍ବାଚନରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ କରାଯିବା ଫଳରେ ୨୭ ହଜାର ମହିଳା ନିର୍ବାଚିତ ହୋଇପାରିଥିଲେ।
ଏପରିକି ପଞ୍ଚାୟତର ସରପଞ୍ଚ ପୁରୁଷ ଥିଲେ ମହିଳା ନାଏବ ସରପଞ୍ଚ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ
ପଦବୀରେ ପୁରୁଷ ଥିଲେ ଉପାଧ୍ୟକ୍ଷ ପାଇଁ ମହିଳା ରହିବେ ବୋଲି ଆଇନ ପ୍ରଣୟନ କରାଗଲା। ମୋଟାମୋଟି ଭାବେ
ବିଜୁବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକ ବେଶ୍ ସୁଦୃଢ଼ ହୋଇପାରିଥିଲା।
ଖାଲି ସେତିକି ନୁହେଁ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମେତ ଅନ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତିନିଧିତ୍ୱକୁ
ଗୁରୁତ୍ୱ ଦେବାକୁ ବିଜୁବାବୁ ପ୍ରୟାସ କରିଥିଲେ। ଗ୍ରାମାଞ୍ଚଳର ବିକାଶ ଲାଗି ନିରନ୍ତର ଉଦ୍ୟମ ରହିଥିଲା
ବିଜୁବାବୁଙ୍କର।
ସେହିପରି ଭାବେ ବିଧାୟକ ବା ସାଂସଦମାନଙ୍କ ସିଧାସଳଖ ପଞ୍ଚାୟତିରାଜ ବ୍ୟବସ୍ଥାରେ
ହସ୍ତକ୍ଷେପକୁ ବିଜୁବାବୁ ବରଦାସ୍ତ କରୁନଥିଲେ। ତାଙ୍କର ବାର୍ତ୍ତା ଥିଲା ନିଜ ପଞ୍ଚାୟତର କାମ, ସେମାନେ
ନିଜେ କରନ୍ତୁ।
ବିଜୁବାବୁ ଓଡ଼ିଶାର ପ୍ରଥମ ରାଜନେତା ଭାବେ ଦୃଢ଼ତାର ସହ ନିଜର କାର୍ଯ୍ୟକୁ ସମ୍ପାଦନ କରୁଥିଲେ। ଆଜି ସେହି ମହାନ ବ୍ୟକ୍ତିତ୍ଵଙ୍କ ନିକଟରେ ଓଡ଼ିଶାଟାଇମ୍ ପରିବାର ପକ୍ଷରୁ ଭକ୍ତିପୂତ ପ୍ରଣିପାତ କରୁଅଛୁ।