ଶ୍ରୀ ମନ୍ଦିର ସୌନ୍ଦର୍ଯ୍ୟକରଣରେ ଶାହ ମୁଗ୍ଧ

ଭୁବନେଶ୍ଵର,ପୁରୀ (ଓଟି): ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମ ଚାଲିଛି। ଦୁଇଦିନିଆ ଓଡ଼ିଶାଗସ୍ତର ଅନ୍ତିମ ଦିନରେ ଶ୍ରୀ ଶାହ ପ୍ରଥମେ ଶ୍ରୀକ୍ଷେତ୍ରରେ ବଡ଼ଠାକୁର ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଓ ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣରେ ମୁଗ୍ଧ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟଯେ ଗସ୍ତର ପ୍ରଥମ ଦିନରେ ଲୋକସେବା ଭବନରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପରେ ଶ୍ରୀ ଶାହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଥିଲେ। ସେଠାରୁ ଜନତା ମଇଦାନରେ ସିଏଏ ସପକ୍ଷ ସଭାରେ ଉଦ୍‌ବୋଧନ ଦେବା ପରେ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଆଲୋଚନା କରିଥିଲେ। ସେଠାରୁ ଶ୍ରୀକ୍ଷେତ୍ର ଗସ୍ତକରି ସେଠାରେ ରାତି ଯାପନ କରିଥିଲେ। ସେହି ଅନୁସାରେ ଆଜି ପ୍ରଥମେ ବଡ଼ଠାକୁରଙ୍କୁ ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣକୁ ସେ ଖୁବ୍‌ ପ୍ରଶଂସା କରିଥିଲେ। କଡ଼ା ସୁରକ୍ଷା ବଳୟ ଭିତରେ ସେ ମନ୍ଦିର ପରିସର ବୁଲିବା ସହ ବଡ଼ଠାକୁରଙ୍କ ଦର୍ଶନ କରିଥିଲେ।

ଶ୍ରୀଲିଙ୍ଗରାଜଙ୍କୁ ମଧ୍ୟ ପୂଜିଲେ

ଅନୁରୂପ ଭାବେ ଶ୍ରୀ ଶାହ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ପ୍ରାୟ ୧୫ ମିନିଟ ମନ୍ଦିର ପରିସର ରହିବାପରେ ଫେରିଥିବା ଜଣାପଡ଼ିଛି। ଶାହଙ୍କ ଗସ୍ତ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ତରଫରୁ ଖଣ୍ଡୁଆପାଟ ପ୍ରଦାନ କରାଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଭୁ ଲିଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ମନ୍ତ୍ରୀ ପୂଜାର୍ଚ୍ଚନା କରିଥିଲେ। ଫେରିବାବେଳେ ଶାହଙ୍କୁ ମନ୍ଦିର ପ୍ରଶାସନ ତରଫରୁ ଭୋଗ ଦିଆଯାଇଥିଲା।

ଠାକୁର ଦର୍ଶନବେଳେ ଶ୍ରୀ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂହ ପଟେଲ ରହିଥିଲେ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ଶ୍ରୀ ଶାହଙ୍କ ସହ ଠାକୁରଙ୍କୁ ଦର୍ଶନ କରିଥିଲେ। ସୁରକ୍ଷା  ଦୃଷ୍ଟିରୁ ମନ୍ଦିର ପରିସରରେ ୫ ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲେ। ଡିସିପିଙ୍କ ସମେତ ୧୫ରୁ ୨୦ ଜଣ ବରିଷ୍ଠ ପୁଲିସ୍‌ ଅଧିକାରୀ ଉପସ୍ଥିତ ଥିଲେ। ସିଆରପିଏଫ ଯବାନମାନେ ମଧ୍ୟ କଡ଼ା ନଜର ରଖିଥିଲେ।

Leave a Reply

Your email address will not be published. Required fields are marked *