ଦିଲ୍ଲୀରେ ନିଆଁ, ଓଡ଼ିଶାରେ ସଚେତନତା?

ଭୁବନେଶ୍ଵର (ଓଟି): ସେହି ପଡ଼ିଆ ସେହି ନେତା। ହେଲେ ସମୟ ସୂଅରେ ସମୀକରଣ ବଦଳି ଯାଇଛି। ଶୀତ ଶେଷରେ ଅଦିନିଆ ବର୍ଷା ଓ ବଦଳୁଥିବା ପାଣିପାଗ ଭଳି ରାଜନୀତିକ ଦୃଶ୍ୟପଟ୍ଟରେ ଦେଖାଦେଇଛି ଘୋର ବଦଳ। ଆଉ ସେହି ବଦଳୁଥିବା ପାଣିପାଗ ସହ ତାଳ ଦେଇ ଆଜି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ହେଲା ଅମିତ ଶାହଙ୍କର। ଖାଲି ସେତିକି ନୁହେଁ; ନବୀନ ମଧ୍ୟ ଭବ୍ୟ ସ୍ଵାଗତ କଲେ ଅମିତ ଶାହଙ୍କୁ। ତେବେ ଏଥିରେ ଆଶ୍ଚର୍ଯ୍ୟକଲା ଭଳି କଣ ରହିଛି- ଏହା ଭାବୁଛନ୍ତି ତ?

ହଁ, ଜଣେ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀଙ୍କୁ ସ୍ଵାଗତ କରିବା ଆଉ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିବା କିଛି ନୂଆ କଥା ନୁହେଁ। ନୂଆ ସେଇଠି ରହିଛି ଯୋଉଠି ଦଳୀୟ ରାଜନୀତି କଥା ଆସୁଛି। କେବଳ ସେଇ ଦଳୀୟ ରାଜନୀତିକ ସମୀକରଣ ହିଁ ପରିବର୍ତ୍ତିତ ଦୃଶ୍ୟକୁ ସୃଷ୍ଟି କରିଛି କୁହାଯାଇପାରେ। କାରଣ ବର୍ଷକ ତଳେ ଠିକ୍‌ ସେହି ଜନତା ମଇଦାନରେ ନବୀନ/ବିଜେଡି ସରକାରକୁ ସମୁଦ୍ର ଗର୍ଭକୁ ଫିଙ୍ଗିଦେବା ପାଇଁ ବିଜେପିର ବରିଷ୍ଠ ନେତା ଅମିତ ଶାହ ଗର୍ଜନ କରିଥିଲେ। ହେଲେ ଆଜି ସେହି ପଡ଼ିଆରେ ସିଏଏ ସମ୍ପର୍କିତ ସଚେତନତାର ବାର୍ତ୍ତା ଦେବେ ଶ୍ରୀ ଶାହ। ତା ପୂର୍ବରୁ ନବୀନ ନିବାସରେ ସାରିବେ ମଧ୍ୟାହ୍ନ ଭୋଜନ।

ଆଉଏକ ଗୁରୁତ୍ଵପୂର୍ଣ୍ଣ କଥାହେଲା- ଯେଉଁ ଆଇନ୍ ସମ୍ପର୍କରେ ଶ୍ରୀ ଶାହ ଜନତା ମଇଦାନରେ ସଚେତନତାର ବାର୍ତ୍ତା ବାଣ୍ଟିବେ; ସେହି ଆଇନ୍‌କୁ ବିରୋଧ କରି ଦିଲ୍ଲୀରେ ନିଆଁ ଜଳୁଛି। ଓଡ଼ିଶାରେ ଯଦିଓ ସିଏଏ ବିରୋଧରେ ସ୍ଵର ଉଠିଛି ତେବେ ତାହା ତୁଳନାତ୍ମକ ଭାବେ ଗୌଣ। ଦଳୀୟ ଆଭିମୁଖ୍ୟ ବା ଅନ୍ୟ କାରଣରୁ ଯାହାକିଛି ବିରୋଧାଭାସ ରହିଥିବାବେଳେ ଶାସନର ଡୋରି ଧରିଥିବା ବିଜେଡି କିନ୍ତୁ ଏଦିଗରେ ଶାନ୍ତ ଓ ପରୋକ୍ଷ ସମର୍ଥକ ବୋଲି କୁହାଯାଇପାରେ। ଏଭଳି ସ୍ଥିତିରେ ଓଡ଼ିଶାବାସୀଙ୍କ ପାଇଁ ରାଜଧାନୀରେ ସିଏଏ ସମ୍ପର୍କିତ ସତେଚନତାର ନାଁ ଆବଶ୍ୟକ ନା ଦିଲ୍ଲୀ ନିଆଁକୁ ପ୍ରଶମିତ କରିବାରେ ଆଗ ଆବଶ୍ୟକ ବୋଲି ଅନେକ ମହଲରେ ପ୍ରଶ୍ନ ଉଠୁଛି। ଦେଶର ରାଜଧାନୀରେ ସିଏଏ ନିଆଁ ପୋଡ଼ି ଛାରଖାର କରୁଥିବାବେଳେ ୩୮ ଜଣଙ୍କ ପ୍ରାଣ ଚାଲିଗଲାଣି। ସେତିକିବେଳେ ସ୍ଵରାଷ୍ଟ୍ରମନ୍ତ୍ରୀ ଓଡ଼ିଶାରେ ସେହି ଆଇନକୁ ନେଇ ସଚେତନତା ସଭା କରିବା ଦରକାର ନା ଦିଲ୍ଲୀ ନିଆଁ କେମିତି ଲିଭିବ ଉଦ୍ୟମ କରିବା ଦରକାର? ଏଭଳି ଅନେକ ପ୍ରଶ୍ନ ବୁଦ୍ଧିଜୀବୀ ମହଲରେ ଉଠିଛି ଓ ସମାଲୋଚନା କରାଯାଉଛି। ତେବେ ଦଳୀୟ କାର୍ଯ୍ୟକ୍ରମ ଭିତ୍ତିରେ ଶ୍ରୀ ଶାହ କୌଣସି ସମାବେଶରେ ଯୋଗଦେବାରେ କାହାର ଆପତ୍ତି କରିବାର ପ୍ରଶ୍ନ ହିଁ ଉଠୁନି ବୋଲି ମଧ୍ୟ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ସ୍ଵରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହ ଦିଲ୍ଲୀକୁ ନେଇ ଚିନ୍ତିତ ନୁହନ୍ତି, ତାହା ନୁହେଁ। ଘନଘନ ବୈଠକ ଡକାଇ ସେ ଦିଲ୍ଲୀ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆବଶ୍ୟକ ପଦକ୍ଷେପ ନେବା ପୂର୍ବକ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଇତିମଧ୍ୟରେ ଓଡ଼ିଆ ଅଫିସର୍‌ ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ଏସ୍‌ଏନ୍‌ ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ପୁଲିସ୍‌ କମିଶନର୍‌ ଭାବେ ଦାୟିତ୍ଵ ନ୍ୟସ୍ତ କରାଯାଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ ଭାବେ କହୁଛନ୍ତି ଯେ ତାଙ୍କ ହାତରେ ପୁଲିସ ନାହିଁ, ସେ କ୍ଷମତା ଥିଲେ କେବେଠୁ ଦିଲ୍ଲୀର ସ୍ଥିତି ଲାଗି କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା। ଅର୍ଥାତ୍‌ ଶ୍ରୀ କେଜ୍ରିୱାଲ୍‌ ପରୋକ୍ଷରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିବାବେଳେ ଓଡ଼ିଶାକୁ ସିଏଏ ସମ୍ପର୍କରେ ବୁଝାଇବାକୁ ଶାହ ଆସିଛନ୍ତି। ଏହାକୁ ନେଇ ରାଜ୍ୟ କଂଗ୍ରେସ ଓ ବିଜେଡି ନେତାମାନେ ମଧ୍ୟ ଉଠାଇଛନ୍ତି ପ୍ରଶ୍ନ।

– ଏସ୍‌ପି

Leave a Reply

Your email address will not be published. Required fields are marked *