୨୯ରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଉଦ୍‌ଘାଟନ

ଭୁବନେଶ୍ୱର, (ଓଟି): ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଆଉ ଏକ ଅତ୍ୟାଧୁନିକ ହସ୍‍ପିଟାଲ୍‍ ସ୍ୱାସ୍ଥସେବା ଦୁନିଆରେ ପାଦ ଥାପିବାକୁ ପ୍ରସ୍ତୁତ ହୋଇଛି । ୨୯ ତାରିଖରେ ଏହି ହସ୍‍ପିଟାଲକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରାଯିବ । ସମ୍‍ ଅଲ୍ଟିମେଟ୍‍ ମେଡିକେୟାର ବା ସମମ୍‍ ଭାବେ ନାମିତ ଏହି ହସ୍‍ପିଟାଲ୍‍ ପୂର୍ବଭାରତର ସବୁଠାରୁ ବଡ଼ ଅତ୍ୟାଧୁନିକ ସେବା ପ୍ରଦାନକାରୀ ଡାକ୍ତରଖାନା ହେବ ବୋଲି ସୋଆ ପକ୍ଷରୁ ସୁଚନା ଦିଆଯାଇଛି ।


ଓଡ଼ିଶାରେ ସ୍ୱାସ୍ଥ୍ୟସେବା ତଥା ଗବେଷଣା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବାକୁ ସମ୍ମମ୍ ସମସ୍ତ ଉଦ୍ୟମ କରିବ । “ସମସ୍ତ ଭାରତୀୟଙ୍କୁ ବିଶ୍ୱସ୍ତରୀୟ ଡାକ୍ତରୀ ଚିକିତ୍ସା ମିଳିବା ଆବଶ୍ୟକ । ଆମ ସହରରେ ବିଶ୍ୱସ୍ତରୀୟ ଡାକ୍ତରଖାନା କରିବା ନିମନ୍ତେ ସୋଆର ଏକ ସ୍ୱପ୍ନ ରହିଥିଲା ଏବଂ ସ୍ୱାସ୍ଥ୍ୟ ସେବା ଖୁବ୍ ସହଜରେ ସମସ୍ତଙ୍କୁ ମିଳିବା ଏହାର ଲକ୍ଷ୍ୟ । ସମ୍ମମ୍ ଆରମ୍ଭ ହେବା ଫଳରେ ସମାଜକୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ସ୍ୱପ୍ନ ପୂରଣ ହୋଇପାରିବ” ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜରଞ୍ଜନ ନାୟକ ।


ଏକ ବିଜ୍ଞପ୍ତିରେ କୁହାଯାଇଛିଯେ, ରୋଗୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସମ୍ମମ୍‌ର ମୂଳ ଲକ୍ଷ୍ୟ । ରୋଗୀମାନଙ୍କ ଚିକିତ୍ସା, ସେବା ଓ ଯତ୍ନ ନିମନ୍ତେ ସମସ୍ତ ଉଦ୍ୟମ ପ୍ରସ୍ତୁତ ହୋଇଛି । ଦଶ ଏକର ଜମି ଉପରେ ନିର୍ମିତ ହୋଇଥିବା ଏହି ନୂତନ ହସ୍ପିଟାଲର ଉଦ୍ଦେଶ୍ୟ ରହିଛି ଆନ୍ତର୍ଜାତିକ ସ୍ତରର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ହସ୍ପିଟାଲଟିକୁ ବିଶ୍ୱସ୍ତରୀୟ ହସ୍ପିଟାଲ ଭାବେ ପରିଗଣିତ କରିବା । ୯ ମହଲା ବିଶିଷ୍ଟ ଏହି ହସ୍ପିଟାଲ ନେକ୍ସଟ ଜେନେରେସନ୍ ଟ୍ରିଟ୍‌ମେଂଟ ସହିତ ନୂତନ ଜ୍ଞାନକୌଶଳ ପଦ୍ଧତିରେ ରୋଗୀ ସେବା କରିବାର ଲକ୍ଷ୍ୟ ରଖିଛି ।


ସୋଆ ପରିଚାଳିତ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଅଧିନରେ ୯ଟି ଡିଗ୍ରୀ ପ୍ରାପ୍ତ ଶିକ୍ଷାନୁଷ୍ଠାନରେ ୧୦, ୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ମଧ୍ୟ ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଛି । ଏକ ଅତ୍ୟନ୍ତ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଭାବେ ପରିଚିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ବୋନ୍ ମ୍ୟାରୋ ପ୍ରତ୍ୟାରୋପଣ କରିବାରେ ଓଡ଼ିଶାରେ ପ୍ରଥମ ହସ୍ପିଟାଲ୍ ଭାବେ ସଫଳତା ହାସଲ କରିଛି । ସମ୍ ହସ୍ପିଟାଲ୍‌ରେ ରୋଗୀମାନଙ୍କର ଚିକିତ୍ସା ପଦ୍ଧତି ଜୀବନ ରକ୍ଷାକାରୀ ଯନ୍ତ୍ରାଂଶ ଏବଂ ରେଡିଓଲୋଜି ଓ ଲାବୋରେଟୋରୀ ବ୍ୟବସ୍ଥା ଖୁବ୍ ଉଚ୍ଚମାନର ।
କ୍ରମାଗତ ୪ ବର୍ଷ ଧରି ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶର ଶୀର୍ଷ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଥିବାବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମେଡିକାଲ୍ କଲେଜ ଗୁଡ଼ିକ ମଧ୍ୟରେ ୨୧ତମ ସ୍ଥାନ ହାସଲ କରିଛି ।


ପ୍ରତ୍ୟେକ ବିଭାଗରେ ବିଚକ୍ଷଣ ଏବଂ ଅନୁଭୂତି ସମ୍ପନ୍ନ ମେଡିକାଲ୍ କେୟାର ବିଶେଷଜ୍ଞଙ୍କୁ ସମ୍ମମ୍‌ରେ ସାମିଲ୍ କରାଯାଇଥିବା ବେଳେ ନୂତନ ଜ୍ଞାନ କୌଶଳ ସମ୍ପନ୍ନ ସମ୍ମମ୍‌ରେ ଏମର୍ଜେନ୍ସି କେୟାର , ହାର୍ଟ କେୟାର, ଆଡ୍‌ଭାନ୍ସଡ ସର୍ଜିକାଲ୍ ପ୍ରୋସିଡିୟୋର୍‌, ଡାଏଗ୍ନୋଷ୍ଟିକ୍ ଇମେଜିଂ, ମ୍ୟାଟରନିଟି କେୟାର୍ ଓ ରିହାବିଲିଟେସନ୍ ସର୍ଭିସେସ୍ ଭଳି କ୍ଷେତ୍ରରେ ଅଧିକ ଦୃଷ୍ଟି ଦିଆଯାଉଥିବା ବେଳେ ପ୍ରାୟ ୩୦ଟି ସ୍ପେଶାଲଟି କ୍ଷେତ୍ରରେ ଚିକିତ୍ସା ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି ।


ଏକ ୱାନ୍ ଷ୍ଟପ୍‌, ନେକ୍ସଟ ଜେନେରେସନ୍‌, ମଲ୍ଟି ସୁପର୍ ସ୍ପେଶାଲିଟି ଓ କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ଭାବେ ପରିଗଣିତ ସମ୍ମମ୍ କାର୍ଡିଆକ୍ ସାଇନ୍‌ସେସ୍‌, ନ୍ୟୁରୋ ସାଇନ୍‌ସେସ୍‌, କ୍ରିଟିକାଲ୍ କେୟାର, ପଲ୍‌ମୋନୋଲୋଜି, ଗ୍ୟାଷ୍ଟ୍ରୋ ସାଇନ୍‌ସେସ୍‌, ଜଏଂଟ ରିପ୍ଲେସ୍‌ମେଂଟ ଏବଂ ଅର୍ଥୋପେଡିକ୍ସ, ରେନାଲ୍ ସାଇନ୍‌ସେସ୍ ଏବଂ ଅଙ୍କୋ ସାଇନ୍‌ସେସ୍ ଭଳି ଚିକିତ୍ସା କ୍ଷେତ୍ରରେ “ସେଂଟର ଅଫ୍ ଏକ୍ସିଲେନ୍ସ” ସ୍ଥାପନ କରିବାର ଯୋଜନା ରହିଛି । ହସ୍ପିଟାଲ୍‌ରେ ୧୪ଟି ମୋଡୁଲାର ଓଟି ସହିତ ଟ୍ରମା ଆଇସିୟୁ ତଥା ଆନ୍ତର୍ଜାତିକ ଜ୍ଞାନ କୌଶଳ ପର୍ଯ୍ୟବେସିତ ପେଟ୍ ସିଟି ସ୍କାନ୍‌, ଥ୍ରୀ ଟେଲ୍‌ସା ଏମ୍‌ଆର୍‌ଆଇ ଏବଂ ଏଚ୍‌ଡିଆର୍ ବ୍ରାଭୋସ୍ ବ୍ରାକିଥେରାପି ଭଳି ଅତ୍ୟାଧୁନିକ କ୍ୟାନ୍ସର ଚିକିତ୍ସାର ପଦ୍ଧତିର ବ୍ୟବସ୍ଥା କରାଯାଇଛି ।


“କେବଳ ରୋଗୀଙ୍କ ଚିକିତ୍ସା ନୁହେଁ ସମ୍ମମ୍‌ରେ ବିଶ୍ୱାସ, ସ୍ୱଚ୍ଛତାର ସହ ରୋଗୀଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ କରାଯିବାର ପରମ୍ପରା ସୃଷ୍ଟି କରାଯିବ । ଆମେ ସମାଜରେ ଏକ ବିଶ୍ୱାସର ସେତୁ ନିର୍ମାଣ କରିବାକୁ ଚାହୁଁଛୁ । ଉତମ ଧରଣର ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରିବା ସହ ସମ୍ବେଦନଶୀଳ ହୋଇ ସହଯୋଗର ହାତ ବଢ଼ାଇ ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ରହିଛି” ବୋଲି ପ୍ରଫେସର ନାୟକ କହିଛନ୍ତି ।
“ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତନ ଆଣିବା ସହ ଭବିଷ୍ୟତରେ ଏକ ବିଶାଳ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ପରିଣତ ହେବା ଆମର ଲକ୍ଷ୍ୟ” ବୋଲି କହିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡ. ଶ୍ୱେତପଦ୍ମା ଦାସ ।
“ସମ୍ମମ୍ ଏଭଳି ଏକ ପ୍ଲାଟଫର୍ମ ହେବ ଯେଉଁଠାରେ କି ଆମେ ସମାଜର ସମସ୍ତ ବର୍ଗଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇପାରିବୁ । ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ଲୋକଙ୍କ ମନରେ ସମ୍ମମ୍‌କୁ ନେଇ ଏକ ଆଶା ରହିଛି । ଏହି ଆଶା ଓ ଶକ୍ତିକୁ ପାଥେୟ କରି ଆମେ ରୋଗୀଙ୍କୁ ଉତମଧରଣର ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଉଦ୍ୟମ କରିବୁ” ବୋଲି ସେ କହିଛନ୍ତି ।

Leave a Reply

Your email address will not be published.