ବର୍ତ୍ତିବାର ରାସ୍ତା ବନ୍ଦ! କାନ୍ଦୁଛନ୍ତି ଦୋଷୀ

ନୂଆଦିଲ୍ଲୀ(ଓଟି): ଆଇନଗତ ଦିଗର ପ୍ରାୟ ସମସ୍ତ ରାସ୍ତା ପରୀକ୍ଷା କରିନେଲେ। ଆବେଦନ ପରେ ଆବେଦନ କରି ଫାଶୀ ଦଣ୍ଡରୁ ମୁକୁଳିବାକୁ ପ୍ରୟାସ କଲେ। ତେବେ ଧୀରେଧୀରେ ସବୁ ଉପାୟ ସରିବାବେଳକୁ ପାଖେଇ ଆସୁଛି ଫାଶୀ ତାରିଖ। ଏଭଳି ପରିସ୍ଥିତିରେ ପରିବାର ଲୋକଙ୍କୁ ଦେଖି କୋହ ସମ୍ଭାଳି ପାରୁନାହାନ୍ତି, କାନ୍ଦି ଉଠୁଛନ୍ତି ଦୋଷୀ। ହଁ ନିର୍ଭୟା ମାମଲାର ୪ ଦୋଷୀ ଫାଶୀ ପାଇବାକୁ ଥିବାବଳେ ଇତିମଧ୍ୟରେ ପବନ ଓ ଅକ୍ଷୟ ନିଜ ପରିବାର ଲୋକଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ଆଉ ସେତିକିବେଳେ ସେମାନେ କାନ୍ଦି ପକାଇଥିଲେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଗତ ଶୁକ୍ରବାର  ଜେଲ୍‌କୁ ଭେଟିବାକୁ ଆସିଥିବା ନିଜ ପରିବାରଲୋକଙ୍କୁ ଦେଖି ଦୋଷୀ ଅକ୍ଷୟ ଠାକୁର କାନ୍ଦିବାକୁ ଲାଗିଥିଲା। ପବନ ଗୁପ୍ତା ମଧ୍ୟ ଏଭଳି କାନ୍ଦିଥିବା ଜଣାପଡିଛି। ତେବେ ଜେଲ୍ ଅଧିକାରୀମାନେ ଦୁଇ ଦୋଷୀଙ୍କ ସମେତ ସେମାନଙ୍କ ପରିବାରଲୋକଙ୍କୁ ବୁଝାସୁଝା କରିଥିଲେ।

ଜେଲ୍ ଅଧିକାରୀଙ୍କ ସୂଚନା ଅନୁସାରେ ଦୋଷୀମାନଙ୍କୁ ସପ୍ତାହରେ ଦୁଇ ଥର ନିଜ ପରିବାରଲୋକଙ୍କୁ ଭେଟିବାର ଅନୁମତି ଦିଆଯାଇଛି । ଦୋଷୀ ଅକ୍ଷୟଙ୍କୁ ବାଦ୍ ଦେଇ ମୁକେଶ, ବିନୟ ଓ ପବନର ପରିବାରଲୋକ ସେହି ଅନୁସାରେ ଜେଲ୍ ପହଞ୍ଚି ସେମାନଙ୍କୁ ଭେଟୁଛନ୍ତି। ତେବେ ଜାନୁଆରୀ ୭ରେ ପ୍ରଥମ ଡେଥ୍ ଓ୍ବାରେଣ୍ଟ ଜାରି ପୂର୍ବରୁ ଅକ୍ଷୟଙ୍କ ପତ୍ନୀ, ମା ଓ ଝିଆରୀ ତାକୁ ଭେଟିବାକୁ ଆସିଥିଲେ। ସେହିପରି ଶୁକ୍ରବାର ପୁଣି ତା ପରିବାର ଲୋକ ଆସିଥିବା ବେଳେ ଭୋ ଭୋ ହୋଇ ଅକ୍ଷୟ କାନ୍ଦିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *