ମାର୍ଚ୍ଚରୁ ଶସ୍ତା ହେବ ଗ୍ୟାସ୍!

ଭୁବନେଶ୍ଵର(ଓଟି): କ୍ରମାଗତ ବର୍ଦ୍ଧିତ ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଆସନ୍ତା ମାସରୁ ରନ୍ଧନ ଗ୍ୟାସ୍‌ ଦର କମିପାରେ। ଏନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂକେତ ଦେଇଛନ୍ତି। ଚଳିତମାସ ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧି କାରଣରୁ ଏଲ୍‌ପିଜି ଗ୍ୟାସ୍ ମୂଲ୍ୟରେ ବୃଦ୍ଧି କରାଯାଇଥିଲା। ତେବେ ଆସନ୍ତା ମାସରୁ ମୂଲ୍ୟ ହ୍ରାସ ପାଇପାରେ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ଦୁଇଦିନିଆ ଛତିଶଗଡ଼ ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରେ ଏ ସମ୍ପର୍କରେ କହିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁସାରେ ଶୀତଦିନରେ ଏଲ୍‌ପିଜିର ବିନିଯୋଗ ବୃଦ୍ଧି ପାଇଥାଏ। ଯାହାଦ୍ୱାରା ଇନ୍ଧନ କ୍ଷେତ୍ର ଉପରେ ଭାରିମାତ୍ରାର ପ୍ରଭାବ ପଡ଼ିଥାଏ।

ସରକାରୀ ଗ୍ୟାସ୍ ବିପଣନ କମ୍ପାନୀମାନେ ଗତ ୧୨ ତାରିଖରେ ପ୍ରତି ୧୪.୨ କିଲୋ ବିଶିଷ୍ଟ ସିଲିଣ୍ଡର ପିଛା ୧୪୪.୫୦ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ। ଏହାପରେ ରାଜଧାନୀ ଦିଲ୍ଲୀରେ ଏଲ୍‌ପିଜି ମୂଲ୍ୟ ସିଲିଣ୍ଡର ପିଛା ୮୫୮.୫୦ ଟଙ୍କାରେ ପହଞ୍ଚିଥିଲା। ଗ୍ୟାସ୍ ବିତରଣ କମ୍ପାନୀଗୁଡ଼ିକ ପ୍ରତି ମାସ ୧ ତାରିଖରେ ରନ୍ଧନ ଗ୍ୟାସ୍ ମୂଲ୍ୟରେ ପରିବର୍ତ୍ତନ କରୁଥିବାବେଳେ ଦିଲ୍ଲୀରେ ବିଧାନସଭା ନିର୍ବାଚନ କାରଣରୁ ଶେଷଥର ବିଳମ୍ବରେ ଘୋଷଣା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ତରଫରୁ ଫେବୃଆରୀ ୧୩ରେ ଜାରି କରାଯାଇଥିବା ବିବୃତିରେ କୁହାଯାଇଥିଲା ଯେ ଏଲ୍‌ପିଜି ମୂଲ୍ୟରେ ବୃଦ୍ଧି କରାଯିବା ସହ ଉପଭୋକ୍ତାଙ୍କୁ ମିଳୁଥିବା ସବ୍‌ସିଡିକୁ ମଧ୍ୟ ଦୁଇଗୁଣ କରାଯାଇଥିଲା। ଏହାପରେ ବର୍ତ୍ତମାନ ଘରୋଇ ଏଲ୍‌ପିଜି ଉପରେ ସବ୍‌ସିଡି ସିଲିଣ୍ଡର ପିଛା ୧୫୩.୮୬ ଟଙ୍କାରୁ ବୃଦ୍ଧି ପାଇ ୨୯୧.୪୮ ଟଙ୍କାରେ ପହଞ୍ଚିଛି ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଲାଭାର୍ଥୀଙ୍କ ସବ୍‌ସିଡି ପ୍ରତି ସିଲିଣ୍ଡର ପିଛା ୧୭୪.୮୬ ଟଙ୍କାରୁ ବୃଦ୍ଧି ପାଇ ୩୧୨.୪୮ ଟଙ୍କାରେ ପହଞ୍ଚିଛି

Leave a Reply

Your email address will not be published. Required fields are marked *