ଏୟାର୍ ଇଣ୍ଡିଆ ଓ ଇଣ୍ଡିଗୋର ଚୀନ୍‌କୁ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ(ଓଟି): ଚୀନ୍‌ରେ ସାଂଘାତିକ ସୃଷ୍ଟି କରିଥିବା କୋବିଡ୍‌-୧୯ ତଥା କରୋନା ଭାଇରସ୍‌ ପାଇଁ ବିଶ୍ଵ ଚିନ୍ତିତ ହୋଇପଡ଼ିଛି। ବିଭିନ୍ନ ଦେଶ ଚୀନ୍‌ ସହ ଯୋଗାଯୋଗ ବନ୍ଦ କରିଦେଇଥିବାବେଳେ ଭାରତ ମଧ୍ୟ ସତର୍କ ହୋଇଯାଇଛି। ଏହିକ୍ରମରେ ଏୟାର୍ ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ ଚୀନ୍ ଯାଉଥିବା ସମସ୍ତ ଉଡ଼ାଣକୁ ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏୟାର୍‌ ଇଣ୍ଡିଆର ପ୍ରବକ୍ତା କହିଛନ୍ତି ଯେ, ସାଂଘାଇ ଓ ହଂକଂ ଯାଉଥିବା ଉଡ଼ାଣଗୁଡ଼ିକୁ ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। କରୋନା କାରଣରୁ ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଚୀନ୍‌କୁ ଆତଯାତ କରୁଥିବା ସମସ୍ତ ବିମାନକୁ ବାତିଲ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏୟାର୍‌ଇଣ୍ଡିଆ ଓ ହଂକଂ ମଧ୍ୟରେ ପ୍ରତ୍ୟହ ଗୋଟିଏ ଲେଖାଏଁ ବିମାନ ଚଳାଚଳ କରୁଛି। ସେହିପରି ଦିଲ୍ଲୀ ଓ ସାଂଘାଇ ମଧ୍ୟରେ ସପ୍ତାହକୁ ୬ ଥର କମ୍ପାନୀ ଏହାର ସେବା ଯୋଗାଉଛି। ଅପରପକ୍ଷେ ହଂକଂର ଫ୍ଲାଗ୍ କ୍ୟାରିଅର୍ କ୍ୟାଥେ ପ୍ୟାସିଫିକ୍ ମାର୍ଚ୍ଚ ୨୦ ସୁଦ୍ଧା ଭାରତ ଆସିବାକୁଥିବା ବିମାନଗୁଡ଼ିକର ସଂଖ୍ୟା ପ୍ରତି ସପ୍ତାହ ପିଛା ୪୯ରୁ ୩୬କୁ ହ୍ରାସ କରିଛି। ସେହିପରି ଚୀନ୍‌ର ଦୁଇ ବିମାନ କମ୍ପାନୀ ଭାରତ ଆସୁଥିବା ବିମାନଗୁଡ଼ିକୁ ରଦ୍ଦ କରିଦେଇଛନ୍ତି।  

Leave a Reply

Your email address will not be published. Required fields are marked *