କୋଭିଡ୍-୧୯: ଉଡ଼ିଯିବ ୨୯୦୦ କୋଟି ଡଲାର!
ନୂଆଦିଲ୍ଲୀ(ଓଟି): କୋବିଡ୍-୧୯ ବା କରୋନା କେବଳ ମଣିଷ ମାରୁନି। ସାରା ବିଶ୍ଵର ଅର୍ଥନୀତିକ ବ୍ୟବସ୍ଥାକୁ ଭୁଶୁଡ଼ାଇ ଦେଇଛି। ଏହିକ୍ରମରେ ବିମାନ ସେବା କ୍ଷେତ୍ରରେ ୨୯ଶହ କୋଟି ଡଲାର କ୍ଷତି ହେବାର ଆଶଙ୍କା ଘନୀଭୂତ ହୋଇଛି। କରୋନାକୁ ନେଇ ଚୀନ୍ର ସ୍ଥିତି ଉତ୍କଟ ହେଉଥିବାବେଳେ ବିଶ୍ଵର ବିଭିନ୍ନ କ୍ଷେତ୍ର ସାଂଘାତିକ ଭାବେ ପ୍ରଭାବିତ ହେଉଛି ଏବଂ ପ୍ରଭୂତ କ୍ଷତି ଘଟିବାରେ ଲାଗିଛି। ସେହିପରି ପ୍ରଭାବିତ ହୋଇଛି ବିମାନ ସେବା। ଚୀନ୍ର ଅଧିକାଂଶ ବିମାନ ସେବା କମ୍ପାନୀ ପକ୍ଷରୁ ଘରୋଇ ଏବଂ ଆନ୍ତର୍ଜାତିକ ସେବା ବନ୍ଦ ରଖାଯାଇଛି। ଫଳରେ ଏହି କ୍ଷେତ୍ରର ଆୟ ଆଶାତୀତ ଭାବେ ହ୍ରାସ ଘଟିବାରେ ଲାଗିଛି। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ବିମାନସେବା କମ୍ପାନୀ ଚୀନ୍କୁ ଉଡ଼ାଣ ବନ୍ଦ କରିଥିବାରୁ ପ୍ରାୟ ୨୯୦୦ କୋଟି ଡଲାର କ୍ଷତି ଘଟିବ ବୋଲି ଆନ୍ତର୍ଜାତିକ ବିମାନ ପରିବହନ ସଂଘ (ଆଇଏଟିଏ) ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ କରୋନା ପାଇଁ କେବଳ ଏସିଆ ମହାଦେଶରେ ବିଭିନ୍ନ ବିମାନସେବା କମ୍ପାନୀଙ୍କ କାରବାରରେ ୧୩ ପ୍ରତିଶତ ହ୍ରାସ ଘଟିଛି। ୨୦୦୮-୦୯ରେ ବିଶ୍ୱସ୍ତରରେ ବିମାନସେବା ଚାହିଦା ସର୍ବାଧିକ ଭାବେ ହ୍ରାସ ପାଇଥିଲା। ଏହାପରେ ସବୁଠୁ ଘାତକ ସ୍ଥିତି ଆସିଛି ବୋଲି ଆଇଏଟିଏ ପକ୍ଷର କୁହାଯାଇଛି। କରୋନାକୁ ନେଇ ସାମ୍ପ୍ରତିକ ସ୍ଥିତି ଆନ୍ତର୍ଜାତିକ ବିମାନସେବା ଶିଳ୍ପ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି ବୋଲି ଆଇଏଟିଏ ମହାନିର୍ଦ୍ଦେଶକ ଆଲେକ୍ଜାଣ୍ଡର ଜୁନିଆକ୍ ପ୍ରକାଶ କରିଛନ୍ତି।











