ଭୁଜ ପରେ ସୁରାଟ: ଝିଅଙ୍କ ଅନ୍ତର୍ବସ୍ତ୍ର ଖୋଲିଦେଲେ!

ନୂଆଦିଲ୍ଲୀ (ଓଟି): ସେଇ ଦେଶ, ସେଇ ରାଜ୍ୟ। ଆଉ ସେଇ ଏକ ପ୍ରକାର ଅଭାବନୀୟ ଘଟଣା। ଲଜ୍ଜାଜନକ ବୋଲି କୁହାଯାଉ। ଏଭଳି ଖବର ଯାହା ଜାଣିବା ଶୁଣିବା କ୍ଷଣି ମୁଣ୍ଡ ସ୍ଵତଃ ତଳକୁ ହୋଇଯାଏ। ହଁ… ନିକଟରେ ଝିଅମାନଙ୍କ ମାସିକ ଋତୁସ୍ରାବ ସମ୍ପର୍କରେ ଜାଣିବା ପାଇଁ ଅନ୍ତବସ୍ତ୍ର ଖୋଲାଯାଇଥିଲା। ଗୁଜରାଟର ଏକ ହଷ୍ଟେଲ୍‌ରେ  ଏଭଳି କାଣ୍ଡ କରାଯାଇଥିବା ଗତ ୧୪ ତାରିଖ ଜଣାପଡ଼ିବା ପରେ ସାରା ଦେଶରେ ନିନ୍ଦା ଓ ସମାଲୋଚନା କରାଯାଇଥିଲା। ହେଲେ ସପ୍ତାହକ ପରେ ପୁଣି ସେଇ ଗୁଜରାଟରେ ହିଁ ଅନୁରୂପ ଘଟଣା ସମ୍ପର୍କରେ ଗୁରୁତର ଅଭିଯୋଗ ହୋଇଛି।

ଆସନ୍ତୁ ଜାଣିବା ଘଟଣାକ୍ରମ…

ପ୍ରଥମ:

ଗତ ୧୪ ତାରିଖ ଗୁଜରାଟର ଭୁଜଠାରେ ଲଜ୍ଜାଜନକ ଘଟଣା ଘଟିଥିଲା। ଯାହାକୁ ନେଇ ସଭ୍ୟ ସମାଜର ମୁଣ୍ଡ ତଳକୁ କରିବାକୁ ବାଧ୍ୟ ହୋଇଥିଲେ। କାରଣ ଶ୍ରୀ ସହଜାନନ୍ଦ ଗର୍ଲ ଇନଷ୍ଟିଚ୍ୟୁର ପ୍ରିନ୍ସିପାଲ ୬୮ ଜଣ ଛାତ୍ରୀଙ୍କ ଅନ୍ତବସ୍ତ୍ର ଖୋଲି ସେମାନଙ୍କ ମାସିକ ଋତୁସ୍ରାବ ହୋଇଛି କି ନାହିଁ ଯାଞ୍ଚ କରିଥିଲେ। କଥାହେଲା କଲେଜରେ ନିୟମ ଅନୁସାରେ ଋତୁସ୍ରାବ ସମୟରେ ଛାତ୍ରୀମାନେ ପାଖରେ ଥିବା ମନ୍ଦିର କିମ୍ବା କଲେଜର ରୋଷେଇଘରେ ପ୍ରବେଶ କରିପାରିବେ ନାହିଁ। କିନ୍ତୁ ଋତୁସ୍ରାବ ସମୟ ଲାଗି ଉଦ୍ଦିଷ୍ଟ ନିୟମକୁ ଝିଅମାନେ ମାନୁନାହାନ୍ତି ବୋଲି ଛାତ୍ରୀନିବାସର ସୁପରିନଟେଣ୍ଡେଣ୍ଟ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ସମସ୍ତ ଛାତ୍ରୀଙ୍କୁ ଡକାଇ ମାସିକ ଋତୁସ୍ରାବ ହୋଇଛି କି ନାହିଁ ତାହାର ପ୍ରମାଣ ଦେଖେଇବାକୁ କୁହାଯାଇଥିଲା। ଏଭଳି ଲଜ୍ଜାଜନକ  ଘଟଣାକୁ ନେଇ ଜାତୀୟ ମହିଳା କମିସନ ଗମ୍ଭୀରତା ସହ ଗ୍ରହଣ କରିବା ସହ ତଦନ୍ତ ପାଇଁ କମିଟି ଗଠନ କରିଥିଲେ। ସମ୍ପୃକ୍ତ ପ୍ରିନ୍ସିପାଲଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ପୁଲିସ୍‌ ଉଚ୍ଚକର୍ତ୍ତୃପକ୍ଷଙ୍କୁ ମଧ୍ୟ ରିପୋର୍ଟ ତଲବ ହୋଇଥିଲା। ତେବେ ଉକ୍ତ ରିପୋର୍ଟ କଣ ହେଲା ଜାଣିବା ପୂର୍ବରୁ ୨୧ ତାରିଖରେ ପୁଣି ଅନୁରୂପ ଅଭାବନୀୟ ଘଟଣା ଘଟିଲା ଗୁଜରାଟର ସୁରାଟରେ।

ଦ୍ଵିତୀୟ:

ସୁରାଟରେ ମହିଳା ଟ୍ରେନି କ୍ଲର୍କମାନଙ୍କୁ ନିର୍ବସ୍ତ୍ର କରାଗଲା। କାରଣ ସ୍ତ୍ରୀ ରୋଗ ସମ୍ପର୍କିତ ଡାକ୍ତରୀ ଯାଞ୍ଚ କରାଯିବ! ପୂର୍ବ ଘଟଣା ଭଳି ଏହି ଘଟଣାରେ ଜାତୀୟ ମହିଳା କମିସନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗୁଜରାଟ ମୁଖ୍ୟ ଶାସନ ସଚିବ ଅନିଲ ମୁକିମ୍ ଓ  ସଚିବ ଡା. ଜୟନ୍ତୀ ଏସ୍ ରବିଙ୍କୁ କମିସନ ରିପୋର୍ଟ ତଲବ ମଧ୍ୟ କରିଛନ୍ତି। ସମାଜରେ ଘଟୁଥିବା ଏଭଳି ଘଟଣାକୁ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମା ଅଶୋଭନୀୟ କହିଛନ୍ତି। ସୂଚନା ଅନୁସାରେ ଯାଞ୍ଚବେଳେ ଆପତ୍ତିଜନକ ପ୍ରଶ୍ନ ମଧ୍ୟ କରାଯିବାକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ଵର ଉଠିଛି। ୧୦୦ରୁ ଅଧିକ ମହିଳା ଟ୍ରେନି କ୍ଲର୍କଙ୍କୁ ଶାରୀରିକ ଫିଟନେସ ଟେଷ୍ଟ ନିଆଯାଇଥିଲା। ସୁରଟ ନଗର ଆୟୁର୍ବିଜ୍ଞାନ ଏବଂ ଅନୁସନ୍ଧାନ ସଂସ୍ଥାରେ ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କୁ ଉଲଗ୍ନ ହେବାକୁ କୁହାଯାଇଥିଲା।  

Leave a Reply

Your email address will not be published. Required fields are marked *