ଆଧାର ସହ ଯୋଡ଼ିହେବ ଭୋଟର କାର୍ଡ!
ନୂଆଦିଲ୍ଲୀ(ଓଟି): ପାନ୍ କାର୍ଡ ପରେ ଖୁବ୍ଶୀଘ୍ର ଭୋଟର କାର୍ଡକୁ ମଧ୍ୟ ଆଧାର ସହ ଯୋଡ଼ିବାକୁ ପଡ଼ିପାରେ। ଏନେଇ ନିର୍ବାଚନ ଆୟୋଗ (ଇସି)ର ପ୍ରୟାସ ଉପରେ ଆଇନ ମନ୍ତ୍ରଣାଳୟ ସହମତି ଜଣାଇଛି। ଏହାଦ୍ୱାରା ନକଲି ଭୋଟର କାର୍ଡ ଚିହ୍ନଟ କରି ସେଗୁଡ଼ିକୁ ରଦ୍ଦ କରିହେବ। ସେହିପରି ପ୍ରବାସୀ ମତଦାତାଙ୍କୁ ରିମୋଟ୍ ଭୋଟିଂ ଅଧିକାର ଉପଲବ୍ଧ କରାଇବାରେ ମଧ୍ୟ ସହଜ ହେବ। ନିର୍ବାଚନରେ ସ୍ଵଚ୍ଛ ଓ ଶୃଙ୍ଖଳାକୁ ନେଇ ଆଇନ ମନ୍ତ୍ରଣାଳୟରେ ସଚିବ ଜି ନାରାୟଣ ରାଜୁଙ୍କ ସହିତ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋଡ଼ା, ନିର୍ବାଚନ ଆୟୁକ୍ତ ଅଶୋକ ଲାୱାସା ଏବଂ ସୁଶୀଲ ଚନ୍ଦ୍ର ପ୍ରମୁଖ ଏକ ବୈଠକରେ ଏନେଇ ଆଲୋଚନା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ ଆୟୋଗ ଆଇନ ମନ୍ତ୍ରଣାଳୟକୁ ପତ୍ର ଲେଖି ଭୋଟର ପରିଚୟପତ୍ରକୁ ଆଧାର ନମ୍ବର ସହିତ ଯୋଡ଼ିବା ପାଇଁ ଜନପ୍ରତିନିଧିତ୍ୱ ଆଇନ ପ୍ରାବଧାନରେ ସଂଶୋଧନ କରିବା ଲାଗି ଅନୁରୋଧ କରିଥିଲା। ଜଣେ ଭୋଟରଙ୍କର ଗୋଟିଏରୁ ଅଧିକ ଭୋଟର ପରିଚୟପତ୍ର ତିଆରି କରିବା ସମସ୍ୟାର ସମାଧାନ ପାଇଁ ଏହାକୁ ଆଧାର ସହିତ ଯୋଡ଼ିବା ଏକମାତ୍ର ବିକଳ୍ପ ବୋଲି ଆୟୋଗ ଦାବି କରିଥିଲା। ଅପରପକ୍ଷେ ଅଧିକରୁ ଅଧିକ ଯୁବବର୍ଗଙ୍କୁ ଭୋଟର ତାଲିକାରେ ସାମିଲ କରିବା ଲାଗି ନିର୍ବାଚନ ଆୟୋଗ ଇଚ୍ଛା ପ୍ରକାଶ କରିଛନ୍ତି।