ଫାଶୀ ପୂର୍ବରୁ ମରିବାକୁ ମୁଣ୍ଡ ପିଟୁଛି ଦୋଷୀ
ନୂଆଦିଲ୍ଲୀ(ଓଟି): ଏମିତି ଅପରାଧ ଘଟାଇଲେ- ସାରା ଦେଶ ହୁଲସ୍ତୁଲ ହୋଇଗଲା। ବଡ଼ ବିଭତ୍ସ ଭାବେ ଗଣଦୁଷ୍କର୍ମ କରି ରାସ୍ତାକଡ଼କୁ ବସ୍ ଭିତରୁ ଫିଙ୍ଗି ଦେଇଥିଲେ। ଜୀବନ ସହ ସଂଘର୍ଷ କରି ମେଡିକାଲରେ ଆଖିବୁଜିଦେଲେ ପୀଡ଼ିତା। ସେହି ‘ନିର୍ଭୟା’ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୬ଜଣ। ଜଣେ ନାବାଳକ କାରଣରୁ ଖସିଗଲା, ଆଉଜଣେ ନିଜକୁ ନିଶେଷ କରିଦେଲା ଜେଲ୍ ଭିତରେ। ବାକି ରହିଲେ ୪ଜଣ। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଓ ରାଷ୍ଟ୍ରପତି ମଧ୍ୟ ସେମାନଙ୍କ କ୍ଷମା ଆବେଦନ ଖାରଜ କରିଦେବା ପରେ ଫାଶୀରୁ ବର୍ତ୍ତିବା ପାଇଁ ବିଭିନ୍ନ ଆଇନଗତ ଦିଗ ଆପଣାଇଛନ୍ତି ସେହି ୪ଜଣ ଦୋଷୀ। ସେମଧ୍ୟରେ ଧୀରେଧୀରେ ସବୁ ରାସ୍ତା ବନ୍ଦ ହୋଇଯିବା ପରେ ଫାଶୀ ପାଇବା ନିଶ୍ଚିତ ହୋଇଚାଲିଛି। ଏହାମଧ୍ୟରେ ଆସନ୍ତା ମାର୍ଚ୍ଚ ୩ରେ ଫାଶୀ ପାଇଁ କୋର୍ଟ ଡେଥ୍ ୱାରେଣ୍ଟ୍ ଜାରି କରିସାରିଛନ୍ତି। କିନ୍ତୁ ତା ପୂର୍ବରୁ ନିଜକୁ ମାରିଦେବାକୁ ଉଦ୍ୟମ କରିଛି ଜଣେ ଦୋଷୀ। ସେ ହେଉଛି ବିନୟ ଶର୍ମା। ସେ ତିହାର ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ ।
ସୂଚନାଯୋଗ୍ୟ ଗତ ୧୬ ତାରିଖରେ ବିନୟ ନିଜେ ରହୁଥିବା କୋଠରି କାନ୍ଥରେ ମୁଣ୍ଡପିଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ଫଳରେ ସାମାନ୍ୟ ଆହତ ହୋଇଥିବା ବିନୟକୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ସୂଚନାଯୋଗ୍ୟ ଯେ ଆସନ୍ତା ୩ରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିଆଲା କୋର୍ଟ ତୃତୀୟ ଥର ଡେଥ୍ ୱାରେଣ୍ଟ ଜାରି କରିଛନ୍ତି।