କାଣ୍ଡଲା ବନ୍ଦରରୁ ଚୀନ୍ ଜାହାଜ ଜବତ
ଅହମ୍ମଦାବାଦ(ଓଟି): ଗୁଜରାଟର କାଣ୍ଡଲା ବନ୍ଦର ନିକଟରୁ ଏକ ଚୀନ୍ ଜାହାଜ ଜବତ ହୋଇଛି। ହଂକଂ ପତାକା ଥିବା ଡା କ୍ୟୁ ୟୁନ୍ ନାମକ ଉକ୍ତ ଜାହାଜ ଉପରେ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ସହ ଡିଆରଡିଓର ଅଧିକାରୀ ଚଢ଼ଉ କରିଥିବାବେଳେ କ୍ଷେପଣାସ୍ତ୍ର ନିର୍ମାଣ ସମ୍ପର୍କିତ ଯନ୍ତ୍ରାଶଂ ମିଳିଛି। ଜାହାଜଟି ଜାନୁଆରୀ ୧୭ରେ ଚୀନ୍ର ଜିଆଙ୍ଗୀନ୍ ବନ୍ଦରରୁ ଆସିଥିବାବେଳେ ଫେବ୍ରୁଆରୀ ୩ରେ କାଣ୍ଡଲା ବନ୍ଦରରେ ଏହାକୁ ସୀମା ଶୁଳ୍କ ବିଭାଗର ଅଧିକାରୀମାନେ ପ୍ରଥମେ ଯାଞ୍ଚ କରିଥିଲେ। ଯାଞ୍ଚରୁ ଧରାପଡ଼ିଛି ଯେ ଜାହାଜଟି ପାକିସ୍ତାନର କରାଚି ବନ୍ଦର ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ ସେଥିରେ ବହୁ ନିଷିଦ୍ଧ ଓ ମାରାତ୍ମକ ସାମଗ୍ରୀ ରହିଥିଲା।
ସମ୍ପୃକ୍ତ ଚୀନ୍ ଜାହାଜରେ ୨୨ଜଣ କ୍ରୁ ମେମ୍ବର୍ ଥିବାବେଳେ କାଣ୍ଡଲା ବନ୍ଦରର ୧୫ ନମ୍ବର ଜେଟିରେ ତାହା ଅଟକି ଥିଲା। ବ୍ୟାପକ ତନାଘନା ପରେ ରକ୍ଷା ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯାଇଥିଲା। ଫଳରେ ମିସାଇଲ୍ ଲଞ୍ଚ ପାଇଁ ବ୍ୟବହାର କରାଯାଉଥିବା ପ୍ରେସର ଚ୍ୟାମ୍ବର ହଜାରେ ଟନ୍ ଉକ୍ତ ଜାହାଜରେ ରହିଥିବା ଜଣାପଡ଼ିଥିଲା। ପରେ ଜାହାଜଟିକୁ ଜବତ କରାଯାଇଛି।