୬୧ରେ ତାପସଙ୍କ ଅଲବିଦା
ଭୁବନେଶ୍ଵର(ଓଟି): ଆଉ ନାହାନ୍ତି ତାପସ ପାଲ। ବଙ୍ଗଳା ଫିଲ୍ମ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ୬୧ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କରିଦେଇଛନ୍ତି। ମୁମ୍ବାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ସକାଳ ୬ଟାରେ ତାଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ତାପସ ତାଙ୍କ ଅଭିନେତ୍ରୀ ଝିଅ ସୋହନିଙ୍କ ଆମେରିକା ଯିବା ପାଇଁ ମୁମ୍ବାଇ ଆସିଥିଲେ। ତେବେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ବାନ୍ଦ୍ରାର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ଅଶୀ ଦଶକର ବଙ୍ଗଳା ଫିଲ୍ମ ‘ଦାଦର କୀର୍ତ୍ତି’ ମାଧ୍ୟମରେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ। ପରେ ସେ ‘ଗୁରୁ ଦକ୍ଷିଣା’, ‘ପର୍ବତ ପ୍ରିୟା’, ‘ଅମର ବନ୍ଧନ’, ‘ସାହେବ’ ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ। ମାଧୁରୀ ଦୀକ୍ଷିତ ଓ ତାପସଙ୍କ ପ୍ରଥମ ଫିଲ୍ମ ଅବୋଧ (୧୯୮୪) ମଧ୍ୟ ସେ ସମୟରେ ସୁପର୍ ହିଟ୍ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ମାଧୁରୀଙ୍କ ଏହା ଡେବ୍ୟୁ ଫିଲ୍ମ ଥିବାବେଳେ ତାପସଙ୍କ ଏହା ପ୍ରଥମ ହିନ୍ଦୀ ଫିଲ୍ମ ଥିଲା। ସୂଚନାଯୋଗ୍ୟ ଯେ ୨୦୧୪ ସାଧରଣ ନିର୍ବାଚନ ସମୟରେ ତାପସ ପ୍ରଚାର କରୁଥିବାବେଳେ ବିବାଦୀୟ ଟିପ୍ପଣୀ ଦେଇ ସମାଲୋଚିତ ହୋଇଥିଲେ। ସେହିପରି ରୋଜ୍ ଭ୍ୟାଲି ଚିଟଫଣ୍ଡ ଦୁର୍ନୀତିରେ ତାଙ୍କୁ ୨୦୧୬ରେ ସିବିଆଇ ଗିରଫ କରିଥିଲା।