ତାଗିଦ୍ ମାନିଲା ଏୟାର୍ଟେଲ୍, ଶୁଝିଲା ବକେୟା
ନୂଆଦିଲ୍ଲୀ(ଓଟି): ଟେଲିକମ୍ କମ୍ପାନୀମାନେ କୋଟିକୋଟି ଟଙ୍କା ସରକାରଙ୍କୁ ଦେବାରେ ବକେୟା ରହିଛନ୍ତି। ଏନେଇ ନିକଟରେ ସରକାର କଡ଼ା ତାଗିଦ୍ କରିଥିଲେ। ତୁରନ୍ତ ବକେୟା ପଇଠ କରିବାକୁ କୁହାଯାଇଥିଲା ଏବଂ ଏନେଇ ମାମଲା ସୁପ୍ରିମ୍ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। କୋର୍ଟ ମଧ୍ୟ ତୁରନ୍ତ ସମସ୍ତ ବକେୟା ସମ୍ପୃକ୍ତ ବିଭାଗକୁ ପଇଠ କରିବା ପାଇଁ ଆଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ତାଗିଦ୍ ଶୁଣିଛି ଭାରତୀ ଏୟାର୍ଟେଲ୍। ଆଜି ଏହି କମ୍ପାନୀ ୧୦,୦୦୦ କୋଟି ଟଙ୍କା ଟେଲିକମ୍ ବିଭାଗକୁ ଦେଇଛି।
ସୂଚନାଯୋଗ୍ୟଯେ କିଛିଦିନ ପୂର୍ବରୁ ସୁପ୍ରିମ୍ କୋର୍ଟ ଏବଂ କେନ୍ଦ୍ର ସରକାର ଯଥାଶୀଘ୍ର ବକେୟା ଅର୍ଥ ପୈଠ କରିବାକୁ କେତେକ ଟେଲିକମ୍ କମ୍ପାନୀକୁ ତାଗିଦ୍ କରିଥିଲେ। ହିସାବ ସରିଲେ ଅବଶିଷ୍ଟ ବକେୟା ଅର୍ଥ ମଧ୍ୟ ପୈଠ କରାଯିବ ଏବଂ ସୁପ୍ରିମ୍ କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସମସ୍ତ ବକେୟା ଦିଆଯିବ ବୋଲି ଏୟାର୍ଟେଲ୍ ପକ୍ଷରୁ କୁହାଯାଇଛି। ଲାଇସେନ୍ସ୍ ଫି’ ଏବଂ ସ୍ପେକ୍ଟ୍ରମ୍ ୟୁଜେସ ଚାର୍ଜ ବାବଦକୁ ଏୟାର୍ଟେଲ୍ଠାରୁ ସରକାର ପ୍ରାୟ ୩୫, ୫୮୬ କୋଟି ଟଙ୍କା ପାଇବେ। ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୦ ତାରିଖ ସୁଦ୍ଧା ୧୦, ୦୦୦ କୋଟି ଟଙ୍କା ପୈଠ କରିବ ବୋଲି ପୂର୍ବରୁ ଏୟାର୍ଟେଲ୍ କହିଥିଲା ଏବଂ ବାକି ଅର୍ଥ ମାର୍ଚ୍ଚ ୧୭ ପୂର୍ବରୁ ପୈଠ କରାଯିବ ବୋଲି ଏୟାର୍ଟେଲ୍ ପକ୍ଷରୁ ଟେଲିକମ୍ ବିଭାଗକୁ କୁହାଯାଇଛି।