କୋବିଡ୍-୧୯: ସହାୟତାର ହାତ ବଢ଼ାଇଲା ଭାରତ
ନୂଆଦିଲ୍ଲୀ(ଓଟି): ଦିନକୁ ଦିନ ଭୟଙ୍କର ହେଉଛି କୋବିଡ-୧୯ ବା କରୋନା ଭାଇରସ୍। ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ଚୀନକୁ ବାଦ୍ ଦେଇ ବିଶ୍ଵର ୩୦ ଦେଶରେ ଏହି ମାରାତ୍ମକ ଭୂତାଣୁ ବ୍ୟାପିଯାଇଛି। ଏଭଳି ସାଂଘାତିକ ସ୍ଥିତି ପାଇଁ ସାରା ବିଶ୍ଵ ଚିନ୍ତା ପ୍ରକଟ କରୁଥିବାବେଳେ ବିଭିନ୍ନ ଦେଶ ପକ୍ଷରୁ ଚୀନକୁ ସହାୟତା ଯୋଗାଇ ଦିଆଯାଉଛି। ଏହିକ୍ରମରେ ଭାରତ ମଧ୍ୟ ସହାୟତାର ହାତ ବଢ଼ାଇଛି। ଚୀନସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି ଟୁଇଟ୍ରେ କହିଛନ୍ତି ଯେ କରୋନା ସହ ଲଢ଼ିବା ପାଇଁ ଭାରତ ଚୀନକୁ ଆବଶ୍ୟକ ଚିକିତ୍ସା ସାମଗ୍ରୀ ଯୋଗାଇ ଦେବ। ସୂଚନାଯୋଗ୍ୟ ପୂର୍ବରୁ ଆମେରିକା ଚୀନକୁ ସହାୟତାର ହାତ ବଢ଼ାଇଥିଲା।
ବିକ୍ରମ କହିଛନ୍ତି ଯେ ଚୀନର ଖରାପ ସ୍ଥିତିକୁ ସୁଧାରିବା ପାଇଁ ଭାରତ ସହାୟତା କରିବାକୁ ପ୍ରସ୍ତୁତ ଅଛି। ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ରି-ଟୁଇଟ୍ ଜରିଆରେ ସହାୟତା ସମ୍ପର୍କରେ ସୂଚନା ଦିଆଯାଇଛି। ଏହା ଭାରତ-ଚୀନ ସମ୍ପର୍କକୁ ମଧ୍ୟ ସୁଦୃଢ଼ କରିବ ବୋଲି ଆଶାପ୍ରକଟ କରାଯାଇଛି।