କୋବିଡ୍-୧୯: ମୃତ୍ୟୁ ସଂଖ୍ୟା ୧୩୬୭
ନୂଆଦିଲ୍ଲୀ(ଓଟି): ଥମୁନି ଆତଙ୍କ। ଦିନିକୁ ଦିନ ଯାଉଛି ଅନେକ ପ୍ରାଣ। ଆକ୍ରାନ୍ତ ହେଉଛନ୍ତି ଜଣେ ପରେ ଜଣେ। ଏଭଳି ମାରାତ୍ମକ କରୋନା ବା କୋବିଡ୍-୧୯ ବିଶ୍ଵରେ ଆତଙ୍କ ଖେଳାଇଛି। ଚୀନ୍ରେ ମୃତକଙ୍କ ସଂଖ୍ୟା ୧୩୬୭ରେ ପହଞ୍ଚିଥିବାବେଳେ କେବଳ ହୁବେଇ ପ୍ରଦେଶରେ ୨୪ ଘଣ୍ଟା ମଧ୍ୟରେ ୨୪୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୫୯,୮୦୪ ହୋଇଗଲାଣି। ଫଳରେ ସାଂଘାତିକ ଭାବେ ସ୍ଵାସ୍ଥ୍ୟସେବାରେ ବାଧା ଉପୁଜିଛି ଓ ଚୀନ୍ ସରକାର ନାକେଦମ୍ ହୋଇସାରିଲେଣି।
ହାଇଲାଇଟ୍ସ
- ଆକ୍ରାନ୍ତଙ୍କ ମଧ୍ୟରେ ୧୦ ହଜାରରୁ ଅଧିକ ସଙ୍କଟାପନ୍ନ
- ହୁବେଇର ଉହାନରେ ନିୟୋଜିତ ହେଲେ ଅଧିକ ସ୍ୱାସ୍ଥ୍ୟକର୍ମୀ
- ଶିକ୍ଷାନୁଷ୍ଠାନ ସମେତ ଅନ୍ୟ ପ୍ରତିଷ୍ଠାନ ବନ୍ଦ
- ନୂଆ ରୋଗୀ ଚିହ୍ନଟ ପାଇଁ ଚୀନ୍ରେ ଆରଏନ୍ଏ ପଦ୍ଧତି
- ବଣ୍ଟା ଯାଉଛି ଭାଇରସ୍ ପ୍ରତିରୋଧକ ମାସ୍କ
- ସିଟି ସ୍କାନର ବ୍ୟବସ୍ଥା ତ୍ଵରାନିତ
- ଚୀନର ଆର୍ଥିକ ବ୍ୟବସ୍ଥାରେ ବଡ଼ କ୍ଷତି
ଭାରତରେ ଆତଙ୍କ; ୨ ରୋଗୀ ଚିହ୍ନଟ
ଚୀନ ବ୍ୟତୀତ ବିଶ୍ୱର ୨୮ଟି ଦେଶରେ କୋବିଡ୍-୧୯ ବ୍ୟାପି ସାରିଛି। ଆମେରିକାରେ ୧୨ରୁ ଅଧିକ ରୋଗୀ ଥିବାବେଳେ ବ୍ରିଟେନରେ ଆଜି ୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଜାପାନରେ ମଧ୍ୟ ୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି। ଏହିକ୍ରମରେ ଭାରତରେ ଦେଖାଦେଇଛି ଆତଙ୍କ। ପୂର୍ବରୁ କେବଳ କେରଳରେ ୩ ଜଣ ଚିହ୍ନଟ ହୋଇଥିଲେ। ପରେ କୋଲକାତାରେ ଜଣେ ଆକ୍ରାନ୍ତ ଧରାପଡ଼ିଥିବାବେଳେ ଆଜି ଆଉ ୨ ଜଣ କୋବିଡ୍-୧୯ ଚିହ୍ନଟ ହେବାକୁ ନେଇ ଦେଶରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁସାରେ ବ୍ୟାଙ୍କକରୁ ଆସି କୋଲକାତାର ଏନଏସସିବିଆଇ ଏୟାରପୋର୍ଟରେ ଓହ୍ଲାଇଥିବା ୨ ଜଣ ମାରାତ୍ମକ ଭୂତାଣୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା ଦେଇଥିବାବେଳେ ସମସ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି।